ଢେଙ୍କାନାଳ: ପିଲାଙ୍କ ଭବିଷ୍ୟତ ଓ ବୃଦ୍ଧାବସ୍ଥାରେ ମୁଣ୍ଡ ଗୁଞ୍ଜିବାକୁ ଘର କରିଥିଲେ । ପିଲାଙ୍କୁ ବଡ଼ କଲେ ପାଠ ପଢ଼ାଇଲେ ଓ ବାହା ବି କରାଇଲେ । ଏବେ ପରିଣତ ବୟସରେ ସେହି ଘର ଓ ସେଇ ପିଲା ସେମାନଙ୍କ ଶାହା ଭରଷା । ହେଲେ ବୃଦ୍ଧାବସ୍ଥାରେ ନିଜ ହାତଗଢ଼ା ଘରେ ବି ରହିବାକୁ ନାହିଁ ସେମାନଙ୍କୁ ଅନୁମତି । ପୁଅ ଓ ବୋହୂ ବାପାମାଆଙ୍କୁ ଘରୁ ତଡ଼ିବାକୁ ଆପଣାଉଛନ୍ତି ନାନା ଉପାୟ । କେତେବେଳେ ଟେକା ପଥର ପକାଉଛନ୍ତି ତ କେତେବେଳେ ପରମ ପାଣି ଢାଳି ଦେଉଛନ୍ତି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ।
ଏନଏସିରେ ରହୁଥିବା ବୁଦ୍ଧିମନ୍ତ ସାହୁ ନାମକ ବୃଦ୍ଧଙ୍କର ୪ ପୁଅ ଅଛନ୍ତି । ବୁଦ୍ଧିମନ୍ତ ଘର କରିଥିବା ବେଳେ ସେଥିରେ ସବୁ ପୁଅଙ୍କ ପାଇଁ ବଖରାଏ ଲେଖା କରିଛନ୍ତି । ମାତ୍ର ବଡ଼ ପୁଅ ରବି ଓ ବୋହୁ ନନ୍ଦିନୀ ଏକାକୀ ଉକ୍ତ ଘରକୁ କବଜା କରିଥିବା ଅଭିଯୋଗ ହୋଇଛି ।
ଏନେଇ ପ୍ରତିବାଦ କରିବା ସହ ନିଜ ଘରେ ପଶିବାକୁ ବୁଦ୍ଧିମନ୍ତ ପତ୍ନୀ ବାଜଙ୍କ ସହ ସେଠାକୁ ଗତ ୨୭ ତାରିଖରେ ଯାଇଥିଲେ । ମାତ୍ର ପୁଅବୋହୂ ବାପାମାଆଙ୍କୁ ଘରେ ପଶାଇ ଦେବା ଦୂରର କଥା ଭିତରୁ ତାଲା ପକାଇ ଦେଲେ । ଏହାପରେ ଆରମ୍ଭ ହୋଇଗଲା ହାଇଡ୍ରାମା ।
ବାପାମାଆ ଘର ବାହାରେ ଥିବା ବେଳେ ବୋହୂ ଛାତ ଉପରେ ଆରମ୍ଭ କରିଦେଲେ ପାଶବିକ ଅତ୍ୟାଚାର । ଘରେ ପୁଅ ରବି ଗରମ ପାଣି ପ୍ରସ୍ତୁତ କରୁଥିବା ବେଳେ ପତ୍ନୀ ନନ୍ଦିନୀ ଓ ତାଙ୍କ ପୁଅ ଛାତ ଉପରୁ ବୁଢ଼ାବୁଢ଼ୀଙ୍କ ଉପରକୁ ଗରମ ପାଣି ଢାଳିଥିଲେ । ଏତିକିରେ ମନ ଶାନ୍ତି ନ ହେବାରୁ ରବିଙ୍କ ପୁଅ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିବାକୁ ପଛାଇ ନ ଥିଲେ ।
ଗରମ ପାଣି ପଡ଼ିବା ଯୋଗୁଁ ଉଭୟ ବୁଦ୍ଧିମନ୍ତ ଓ ବାଜଙ୍କ ଶରୀରର ବହୁ ସ୍ଥାନରୁ ଚମଡ଼ା ଉଠି ଯାଇଛି । ଏହାପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟ ଆଖିରୁ ଲୁହ ଗଡ଼ାଇବା ସହ ନିଜ ଭାଗ୍ୟକୁ ନିନ୍ଦୁଥିବା ବେଳେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି ।
ଏପରିକି ଏନେଇ ବୁଦ୍ଧିମନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି । ପୋଲିସ୍ ସେମାନଙ୍କୁ ଡକାଇ ପୁଣି ଛାଡ଼ି ଦେଇଥିବାରୁ ସେମାନଙ୍କ ଉତ୍ପାତ ବଢ଼ି ଚାଲିଥିବା କହିଛନ୍ତି ବୁଦ୍ଧିମନ୍ତ । ଫଳରେ ସେମାନେ ଆମ ଉପରେ ଅସହ୍ୟ ନିର୍ଯାତନା କରୁଥିବା ବେଳେ ଆମେ କାହା ପାଖରେ ଗୁହାରୀ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।