ମାଲକାନଗିରି: ମାଟି ତଳେ ମାଓବାଦୀ ଲୁଚାଇ ରଖିଥିଲେ ପୁଳା ପୁଳା ବିସ୍ଫୋରକ ସହ ମାଓ ସାମଗ୍ରୀ । ସର୍ଚ୍ଚ ଅପରେସନ ବେଳେ ଜବତ କଲେ ସୁରକ୍ଷା କର୍ମୀ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜଙ୍ଗୱାଡା ଜଙ୍ଗଲରେ । ସର୍ଚ୍ଚ ଅପରେସନ ବେଳେ ମାଟି ତଳୁ ଠାବ ହୋଇଛି ମାଓବାଦୀଙ୍କ ଏହି ଡମ୍ପ ।
ଟେଲରାଇ ପଞ୍ଚାୟତର ଦୟଲଗୁନ୍ତି ଗ୍ରାମ୍ୟ ଜଙ୍ଗଲରେ ଏହି ଡମ୍ପ ଠାବ ହୋଇଛି । ଏଥିରୁ ୩ଟି ଟିଫିନ ବୋମା, ଜିଲୋଟିନ, ବିଦ୍ୟୁତ ତାର, ନକ୍ସଲ ପୋଷାକ, ନକ୍ସଲ ପୁସ୍ତକ ଇତ୍ୟାଦି ୧୭ରୁ ଊର୍ଦ୍ଧ୍ୱ ଜିନିଷ ମିଳିଛି ।
ସୂଚନାଯୋଗ୍ୟ, ଭେଜେଙ୍ଗୱାଡା ରିଜର୍ଭ ଫରେଷ୍ଟ ନକ୍ସଲଙ୍କ ଗଡ଼ ଥିଲା । ଏଠାରେ ନକ୍ସଲ ବହୁ ଡମ୍ପ କରି ସେମାନଙ୍କ ସାମଗ୍ରୀ ଓ ବିସ୍ଫୋରକ ଲୁଚାଇ ରଖିଛନ୍ତି । ପୂର୍ବରୁ ମଧ୍ୟ ବହୁବାର ବିଏସଏଫ ମାଓବାଦୀଙ୍କ ଡମ୍ପ ଠାବ କରିଛି । ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରକ ଓ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିଲେ ।