ଲୋକସଭା ନୁହେଁ ଏଥର ବିଧାନସଭା ନିର୍ବାଚନ ଲଢିବେ ଅପରାଜିତା ! ତାଲିକାରେ ରହିଛି ଏସବୁ ଆସନ


ଭୁବନେଶ୍ଵର: ପୂର୍ବ ଓଡିଶାରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଏକମାତ୍ର ଲୋକସଭା ଆସନ ଜିତାଇଥିବା ନେତ୍ରୀ ହେଉଛନ୍ତି ଅପରାଜିତା ଷଡଙ୍ଗୀ। ୨୦୧୯ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ଆସନରେ ନିର୍ବାଚନ ଜିତି ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ବିଜେପି ପ୍ରାର୍ଥୀ ପୂର୍ବ ଓଡିଶାର ଲୋକସଭା ଆସନ ଜିତି ପାରି ନାହାନ୍ତି। ନିଜର ବଳିଷ୍ଠ ଚେହେରା, ସ୍ଵତନ୍ତ୍ର ପରିଚୟ ଏବଂ ନିଜ ଦମରେ ଅପରାଜିତା ଷଡଙ୍ଗୀ ଗତ ନିର୍ବାଚନରେ ବିଜୟ ଲାଭ କରିଥିବା କୁହାଯାଏ। ୨୦୨୪ ନିର୍ବାଚନକୁ ଆଉ ପାଖାପାଖି ବର୍ଷେ ସମୟ ବାକି ରହିଛି। ଆଉ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଅଙ୍କକଷା ଚାଲିଛି। ଓଡିଶା ବିଜେପିର ସବୁଠୁ ଚର୍ଚ୍ଚିତ ଚେହେରା ଅପରାଜିତା ଷଡଙ୍ଗୀ ଏଥର ନିର୍ବାଚନରେ କେଉଁ ଆସନରେ ଲଢିବେ ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେ ଲୋକସଭା ଲଢିବେ ନା ବିଧାନସଭା ନିର୍ବାଚନ ଲଢିବେ ତାହା ମଧ୍ୟ ଏକ ବଡ ପ୍ରଶ୍ନ ?

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ଓଡିଶାରେ ସ୍ଵତନ୍ତ୍ର ପରିଚୟ ରହିଛି। ରାଜ୍ୟରେ ଛୋଟ ପିଲାଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ତାଙ୍କୁ ବା କିଏ ନ ଜାଣେ। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଅପରାଜିତା କେବେ ଦଳ ଉପରେ ନିର୍ଭରଶୀଳ ରହି ନାହାନ୍ତି। ନିଜର ସ୍ଵତନ୍ତ୍ର ସଂଗଠନ ଗଠନ କରି ତୃଣମୂଳସ୍ତରରେ କାମ କରୁଛନ୍ତି। ସେ ରାଜ୍ୟର ଯେଉଁ ଅଞ୍ଚଳକୁ ଯାଆନ୍ତି ସ୍ଵତଃପ୍ରବୃତ ଭାବେ ସେଠାରେ ଲୋକଙ୍କ ଭିଡ ଜମିଥାଏ। ସେ ଜନତାଙ୍କ ମଧ୍ୟରେ ପ୍ରିୟଭାଜନ ମଧ୍ୟ ହୋଇ ପାରିଛନ୍ତି। ୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ପ୍ରଶାସନିକ ଚାକିରି ଛାଡି ୨୦୧୮ ନଭେମ୍ବର ୧୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ପାର୍ଟି ତାଙ୍କୁ ଭୁବନେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଅପରାଜିତ ପାର୍ଟି ହାଇକମାଣ୍ଡଙ୍କ ଭରସାକୁ କାଏମ ରଖି ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ବିଜେପିରେ ସେ ଜଣେ ପ୍ରଭାବଶାଳୀ ନେତ୍ରୀ। ତାଙ୍କର ଲୋକପ୍ରିୟତା ବଢୁଥିବା ଦେଖି ରାଜ୍ୟ ବିଜେପିର ନେତା ମଧ୍ୟ ତାଙ୍କ ପ୍ରତି ଅସହିଷ୍ଣୁ ହେଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ବିଜେପି ଜିତିଥିବା ଆଠଟି ଲୋକସଭା ସିଟରୁ ୫ଟି ପଶ୍ଚିମ ଓଡିଶାରୁ ହୋଇଥିବା ବେଳେ ଗୋଟିଏ ଭୁବନେଶ୍ଵର ଏବଂ ବାକି ଦୁଇଟି ଉତ୍ତର ଓଡିଶାରୁ ରହିଛି।

ସାଧାରଣତଃ ଦଳର ଅନ୍ୟ ବରିଷ୍ଠ ନେତା ସହିତ ଯେମିତି ବିଜେପିର ନେତାମାନେ ପାଖେ ପାଖେ ରହିଥାନ୍ତି, ତାହା ଅପରାଜିତା ଷଡଙ୍ଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ନାହିଁ। ସେ ଯେଉଁ ସଭା ଏବଂ କାର୍ଯ୍ୟକ୍ରମକୁ ଯାଆନ୍ତି ତାଙ୍କ ସହିତ କେବଳ ତାଙ୍କର କର୍ମୀ ଏବଂ ସାଧାରଣ ଜନତା ଥାଆନ୍ତି। ରାଜ୍ୟ ରାଜନୀତିରେ ସେ ବର୍ତ୍ତମାନ ବେଶ ସକ୍ରିୟ ଅଛନ୍ତି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ ଭୁବନେଶ୍ଵର ସାଂସଦ ଆଗାମୀ ନିର୍ବାଚନରେ ଲୋକସଭା ନୁହେଁ ବରଂ ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି। ଏଥିରୁ ଏହା ସଙ୍କେତ ମିଳୁଛି ଯେ, ଅପରାଜିତା ସଂସଦ ନୁହେଁ ବିଧାନସଭାରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛନ୍ତି। ଭୁବନେଶ୍ଵର ଲୋକସଭା ଅନ୍ତର୍ଗତରେ ଥିବା ସାତ ବିଧାନସଭାରୁ ଅନେକରେ ଅପରାଜିତଙ୍କ ବେଶ ଲୋକପ୍ରିୟତା ରହିଛି। ଖୋର୍ଦ୍ଧା କିମ୍ବା ବେଗୁନିଆରୁ ବିଧାସନଭା ନିର୍ବାଚନ ଲଢିବାକୁ ଅପରାଜିତା ଚାହୁଁଥିବା ଖବର ମିଳୁଛି। ତେବେ ଏ ବିଷୟରେ ଅପରାଜିତ ରାଜ୍ୟର ଏକ ଗଣମାଧ୍ୟମ ଚ୍ୟାନେଲ୍ ସହ ସ୍ଵତନ୍ତ୍ର ସାକ୍ଷାତକାର ସମୟରେ କହିଥିଲେ ଯେ, ମୋତେ ଅନେକ ଏହି ପ୍ରଶ୍ନ କଲେଣି ଯେ ମ୍ୟାଡମ ଆପଣ ଏଥର ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ। ଚିଲିକା, ବେଗୁନିଆ, ଜଟଣୀ ଏବଂ ଖୋର୍ଦ୍ଧାରୁ ଲଢିବାକୁ ଲୋକେ ପ୍ରସ୍ତାବ ଦେଉଥିବା ଲୋକେ କହିଛନ୍ତି। ଯଦି ଅପରାଜିତା ବିଧାନସଭା ନିର୍ବାଚନ ଲଢନ୍ତି ତେବେ ଏହା ବୁଝିବାକୁ ପଡିବ ଯେ, ଏଥର ବିଧାନସଭା ନିର୍ବାଚନରେ ବିଜେପି ଏବଂ ବିଜେଡି ମଧ୍ୟରେ ଆର ପାର ଲଢେଇ ହେବ। ଏହା କହିବାର ତାତ୍ପର୍ଯ୍ୟ ଅପରାଜିତାଙ୍କୁ କେନ୍ଦ୍ର ନେତୃବୃନ୍ଦ ଓଡିଶା ପଠାଇଛନ୍ତି ଏବଂ ସେ କେଉଁ ଆସନରୁ ନିର୍ବାଚନ ଲଢିବେ ବୋଧହୁଏ ତାହା ଦିଲ୍ଲୀରୁ ଇସାରା କରାଯାଏ।

ପ୍ରତ୍ୟେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ଦୃଢ ଜବାବ ଦେବାରେ ମାହିର ଅପରାଜିତା ଷଡଙ୍ଗୀ। ନିଜର ଅଗ୍ନିବର୍ଷୀ ଭାଷଣ ଜରିଆରେ ସେ ନିଜର ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଥାନ୍ତି। ନିଜର ପ୍ରଶାସନିକ ଚାକିରିରେ ସେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଭୁବନେଶ୍ଵର ମ୍ୟୁନିସିପାଲ କମିଶନର ଏବ ରାଜ୍ୟ ଗଣଶିକ୍ଷା ବିଭାଗର ସଚିବ ଥିଲେ। ଭୁବନେଶ୍ଵର ମ୍ୟୁନିସିପାଲ କମିଶନର ଏବଂ ରାଜ୍ୟ ଗଣଶିକ୍ଷା ବିଭାଗର ସଚିବ ଭାବେ ନିଆରା କାମ ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ। ପ୍ରଶାସନିକ ଅଧିକାରୀ ଭାବେ ସେ ଯେତିକି ସଫଳ ହୋଇଛନ୍ତି ରାଜନୀତି କ୍ଷେତ୍ରରେ ଆଗାମୀ ସମୟରେ ସେ କେତେ ସଫଳ ହେବେ ଏବଂ କେଉଁ ବିଧାନସଭା ଆସନରୁ ମଇଦାନକୁ ଓହ୍ଲାଇବେ ତାହା ଦେଖିବା ବାକି ରହିଲା।