ଭୁବନେଶ୍ବର: କାୟା ମେଲାଇଛନ୍ତି ସାଇବର ଠକ୍ । କିଏ ଅସଲି, କିଏ ନକଲି ଜାଣିବା ମୁସ୍କିଲ । କେତେବେଳେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍ ଅଫିସରଙ୍କୁ କରୁଛନ୍ତି ମୋହରା । ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଏପରି ଏକ ଘଟଣା ରାଜଧାନୀରେ ଘଟିଛି । ଏଥର ସାଇବର ଲୁଟେରା ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ ।
ସାଇବର ଲୁଟେରାମାନେ ଅତି ସତର୍କତାର ସହ ଫେକ୍ ଆକାଉଣ୍ଟ କରି ସେଥିରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ଫଟୋ ଲଗାଇଛନ୍ତି । ଏହାପରେ ଲୋକଙ୍କ ନିକଟକୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି ।
ଏନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଅମିତାଭଙ୍କୁ ଅବଗତ କରିଥିଲେ । ଏହାପରେ ତତ୍କ୍ଷଣାତ ଅମିତାଭ ଠାକୁର ସାଇବର ସେଲ୍ ୟୁନିଟ୍ରେ ଅଭିଯୋଗ କରିଥିଲେ । ଏଥିସହ ସେ ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି ।
ଏ ନେଇ ଅମିତାଭ ଠାକୁର ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ମଧ୍ୟ ସୂଚିତ କରିଛନ୍ତି । ଇନଷ୍ଟାଗ୍ରାମକୁ ମଧ୍ୟ ସେ ରିପୋର୍ଟ କରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଫେକ୍ ଆକାଉଣ୍ଟରେ କୌଣସି ଆର୍ଥିକ କାରବାର ନ କରି ତୁରନ୍ତ ରିପୋର୍ଟ କରିବାକୁ କହିଛନ୍ତି ଏଡିଜି ଅମିତାଭ ଠାକରୁ ।