ଗଞ୍ଜାମ: ଘରବାଡ଼ି ପଟ୍ଟା କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଓ ଏଆରଆଇଙ୍କୁ ମାଡି ବସିଲା ଭିଜିଲାନ୍ସ ଟଇମ୍ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଘଟଣା ଘଟିଛି । ଆଜି ସକାଳୁ ସକାଳୁ ଲାଞ୍ଚ ନେବା ବେଳେ ଉଭୟ ଧରାପଡିଛନ୍ତି । ଅଭିଯୁକ୍ତ ସରକାରୀ ବାବୁ ଦ୍ବୟ ହେଲେ ସାନଖେମୁଣ୍ଡି ତହସିଲ ପୋଡ଼ାମାରିର ଆରଆଇ ଆଦିତ୍ୟ କୁମାର ସେନାପତି ଏବଂ ଏଆରଆଇ ଟିଟୁ ସେଠୀ ।
ରିପୋର୍ଟ ଅନୁସାରେ, ପୋଡ଼ାମାରି ଗ୍ରାମର ବାଳକୃଷ୍ଣ ପଣ୍ଡା ନିଜ ଘରବାଡ଼ି ପଟ୍ଟା ପାଇଁ ପୋଡ଼ାମାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠୀ ତାଙ୍କୁ କହିଥିଲେ । ମାତ୍ର ଶେଷରେ ବାଳକୃଷ୍ଣ ୫ ହଜାର ଟଙ୍କା ଦେବା ପାଇଁ ରାଜି ହେଇଥିଲେ l
ଏନେଇ ସେ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ଆଜି ସକାଳେ ବାଳକୃଷ୍ଣ ଲାଞ୍ଚ ଟଙ୍କା ଦେବା ନିମନ୍ତେ ଆଦିତ୍ୟ ଏବଂ ଟିଟୁଙ୍କୁ ପୋଡ଼ାମାରିର ବସଷ୍ଟାଣ୍ଡ ନିକଟକୁ ଡକାଇଥିଲେ । ସେଠାରେ ଉଭୟ ପହଞ୍ଚିବା ପରେ ବାଳକୃଷ୍ଣ ସେମାନଙ୍କୁ ଟଙ୍କା ଦେଇଥିଲେ । ଏହାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରି ନେଇଥିଲେ ।