ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ୨୧ ଦିନରେ ଫାଶୀ; ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା ବିଲ୍ ପାରିତ’


କୋଲକାତା: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲେ ‘ଅପରାଜିତା’ ବିଲ୍ । ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି । ବିଜେପି ଏହାକୁ ସମର୍ଥନ କରିଛି ।
ଏହାସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି । ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ ।
‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍’ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪ ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ୨୧ ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ । ସେହିପରି ଏସିଡ୍ ଆଟାକ୍ ଓ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି ।
ସେପଟେ, ଏହି ବିଲ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଓ ମଡେଲ ବୋଲି କହିଛନ୍ତି । ସେ କହିଛନ୍ତି, ‘ଏହି ବିଲ୍ ସରକାରଙ୍କ ଦ୍ୱାରା ପରିଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ।’
ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଗତକାଲି ଆଲୋଚନା ପରେ ଆଜି ବେଙ୍ଗଲ ଆଣ୍ଟି-ରେପ୍ ବିଲ୍ ବା ଦୁଷ୍କର୍ମ ବିରୋଧୀ ବିଲ୍ ‘ଅପରାଜିତା’ ପାରିତ ହୋଇଛି ।
ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛି । ଦଳ ପକ୍ଷରୁ କୁହାଯାଇଛି ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ପାଇଁ ଭାରତୀୟ ନ୍ୟାୟ ସଂହିତା (BNS)ରେ ମଧ୍ୟ କଡା ବ୍ୟବସ୍ଥା ରହିଛି । ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ବିଲ୍‌ରେ ୭ଟି ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି।
ସେ କହିଛନ୍ତି, ‘ଆମେ ଏହି (ଦୁଷ୍କର୍ମ ବିରୋଧୀ) ଆଇନ ଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ଚାହୁଁ, ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଆମେ ଫଳାଫଳ ଚାହୁଁ । ଆମେ କୌଣସି ବିଭାଜନ ଚାହୁଁ ନାହୁଁ । ଆମେ ଆପଣଙ୍କୁ (ରାଜ୍ୟ ସରକାର) ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଆରାମ୍ଭରୁ ଶୁଣିଲୁ, ସେ ଯାହା ଚାହାନ୍ତି ତାହା କରିପାରିବେ । କିନ୍ତୁ ବିଲର ତୁରନ୍ତ କାର୍ଯ୍ୟକାରିତା ହେଉ ।’