ୟୁପିର ମାଦ୍ରାସାରେ ଜାଲ ନୋଟ କାରଖାନା, ରହିଛି ଓଡ଼ିଶା ଲିଙ୍କ


ଭୁବନେଶ୍ବର: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଛପା ଯାଉଥିଲା ନକଲି ନୋଟ୍ । ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ଅଭିଯୋଗ ପାଇବା ପରେ ପ୍ରୟାଗରାଜ ପୋଲିସ କରିଥିବା ଚଢ଼ାଉ ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ମାଦ୍ରାସାରେ ପାଠପଢ଼ା ନାଁରେ ଛପା ଯାଉଥିଲା ନକଲି ନୋଟ୍ । ଏହାସହ ଆରଏସଏସ ବିରୋଧରେ ପ୍ରଚାର ପୁସ୍ତିକା ବି ଛପାଯାଉଥିବା ପୋଲିସ ଜାଣିବାକୁ ପାଇଛି ।

ତା’ଠାରୁ ଆହୁରି ବଡ଼ କଥା ମଦ୍ରାସା ଭିତରୁ ଆରଏସଏସ ବିରୋଧରେ ଅପପ୍ରଚାର ସହ ଜାଲ୍ ନୋଟ୍ କାରବାର ଲିଙ୍କରେ ରହିଛି ଜଣେ ଓଡ଼ିଆଙ୍କ ସଂପୃକ୍ତି । ସେ ପୁଣି ଏ ପୂରା କାଣ୍ଡର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଜାହିର ଖାନ । ଘର ଓଡ଼ିଶାର ଭଦ୍ରକ ବୋଲି ପ୍ରୟାଗରାଜ ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସେପଟେ ଏହି ଲିଙ୍କରେ ଓଡ଼ିଶା ଆସିପାରେ ଉତ୍ତର ପ୍ରଦେଶ ପୋଲିସ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ, ଜାହିର ଖାନ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲା । ସେଠାରେ ରହି ପାଠ ପଢୁଥିଲା । ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଓ ସ୍କାନର ବ୍ୟବହାର କରି ସେ ଜାଲ୍ ନୋଟ୍ ଛାପୁଥିଲା ବୋଲି ପୋଲିସ କହିଛି । ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ସଂପୃକ୍ତ ମଦ୍ରାସାର ପ୍ରିନ୍ସପାଲ ବି ଅଛନ୍ତି । ତାଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ପୋଲିସ ସୂଚନା ଦେଇଛି । ଆଗକୁ ତଦନ୍ତ ବ୍ୟାପକ ହେଲେ ଏନେଇ ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି ।