ନିଖୋଜର ଦୁଇଦିନ ପରେ ନାଳରୁ ମିଳିଲା ଛାତ୍ରଙ୍କ ମୃତଦେହ


ଯାଜପୁର: ଦୁଇଦିନ ପୂର୍ବରୁ ନିଖୋଜ ଯୁକ୍ତଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର । ନାଳରୁ ତାଙ୍କ ମୃତଦେହ ପାଇଛି ପୋଲିସ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ହେଲେ ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା । ପୁଅକୁ ହତ୍ୟା କରି ନାଳରେ ଫିଙ୍ଗି ଦିଆଯାଇଥିବା ତାଙ୍କ ବାପା ନରହରି ଅଭିଯୋଗ କରିଛନ୍ତି ।

ଗତ ୨ ଦିନ ତଳେ ରୁଦ୍ର ନିଖୋଜ ଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ପରେ ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ।

ଆଜି ସକାଳେ ଶଗଡ଼ିଆ ନାଳରେ ରୁଦ୍ରଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରୁଦ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଛି । ପୁଅର ହତ୍ୟାକାରୀକୁ ଦଣ୍ଡ ଦିଆଯାଉ ।