ବଡ଼ ଭାଇକୁ ଭୁଜାଲି ଭୁଶିଲା ସାନ ଭାଇ


ପୁରୀ: ପାରିବାରିକ କଳହରୁ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ କଲା ସାନ ଭାଇ । ଭୁଜାଲିରେ ଆକ୍ରମଣ କରି କଲା ଲହୁଲୁହାଣ । ଗୁରୁତର ଅବସ୍ଥାରେ ବଡ଼ ଭାଇକୁ ଏସସିବିରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାୟପୁର ଗାଁରେ । ଆହତ ବଡ଼ଭାଇ ହେଲେ ସୁରେଶ ଜେନା ଏବଂ ଆକ୍ରମଣକାରୀ ସାନ ଭାଇ ହେଲେ କର୍ଣ୍ଣ ଜେନାଙ୍କ । ପୋଲିସ କର୍ଣ୍ଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୁରେଶ ଓ ତାଙ୍କ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହି ସମୟରେ କର୍ଣ୍ଣ ଆସି ସୁରେଶଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପରିବାର ଲୋକେ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।