ବାର୍ଡ ଫ୍ଲୁ ଆତଙ୍କ: କୁକୁଡା ନ ଖାଇବାକୁ ପରାମର୍ଶ


ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ରହିଛି । ଗତକାଲି ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି । ଆଜି  ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବ ।

ଗତକାଲି ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ପ୍ରାଣୀ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ୍ । ବୈଠକ ପରେ ଟିମ୍ ସଦସ୍ୟ କହିଛନ୍ତି, ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ସଂକ୍ରମିତ ଅଞ୍ଚଳର ଏକ କିମି ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷଙ୍କୁ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଟିମ୍‌ ସଦସ୍ୟ ।

୧୦ କିମି ବ୍ୟବଧାନ ମଧ୍ୟରେ କୁକୁଡ଼ା ରପ୍ତାନୀ ଓ ଆମଦାନୀ ଉପରେ କଟକଣା ଜାରି ହୋଇଛି । ଏଥିସହ ଲୋକଙ୍କୁ ଏ ସମ୍ପର୍କରେ ସଚେତନ ବି କରାଯାଉଛି । ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ, ଜିଲ୍ଲା ପ୍ରଶାସନର ଅଧିକାରୀ, ପୋଲିସ ଅଧିକାରୀ, ମେଡିକାଲ୍ ଟିମ ସଦସ୍ୟ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏଥିସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି ।

ଏନେଇ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ରାମସିସ୍‌ ହାଜିରା କହିଛନ୍ତି, କୁକୁଡ଼ା ଫାର୍ମମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବାର୍ଡ ଫ୍ଲୁ ଚିହ୍ନଟ ସ୍ଥାନର ୧୦ କିମି ପରିଧୀ ମଧ୍ୟକୁ ବାହାରୁ କୌଣସି ପକ୍ଷୀଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏପରି କରିବା ଦ୍ୱାରା କିଛି ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଚାଲି ଆସିବ ।

କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଅଭିଜିତ ମିତ୍ର କହିଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ । ସତର୍କତା ଅବଲମ୍ବନ କଲେ ଆମେ ଏହି ସମସ୍ୟାକୁ ମୁକୁଳି ପାରିବା ।