ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାରକାର୍ଡ ରେ ମୋବାଇଲ ଲିଙ୍କ ଜରୁରୀ ନୁହଁ


ଉଲୁଣ୍ଡା , (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି କାର୍ଯ୍ୟାଳୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଡିଓ କରିସ୍ମା ବେସ୍ରା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ସହ ‘ସୁଭଦ୍ରା’ ଯୋଜନା ଆବେଦନ ପାଇଁ ଆଧାରକାର୍ଡରେ ମୋବାଇଲ ଲିଙ୍କ ଜରୁରୀ ନୁହେଁ ବୋଲି ସୂଚନା ଦେଇଛନ୍ତି । ଆଧାରକାର୍ଡରେ ମୋବାଇଲ ଲିଙ୍କ ନଥିବା ହିତାଧିକାରୀ ମଧ୍ୟ ‘ସୁଭଦ୍ରା’ ଯୋଜନା ଆବେଦନ କରିପାରିବେ । ଫଳରେ ମହିଳା ହିତାଧିକାରୀ ମାନେ ଏଥିପାଇଁ ବ୍ୟସ୍ତ ନହେବାକୁ ବିଡିଓ ପରାମର୍ଶ କରିଛନ୍ତି । କିଛି ମହିଳା ହିତାଧିକାରୀ ମୋବାଇଲ ଲିଙ୍କ ପାଇଁ ନୂଆ ମୋବାଇଲ କିଣି ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ମାତ୍ର ଏ ସବୁର କୌଣସି ଆବଶ୍ୟକତା ନାହିଁ ମୋବାଇଲ ଲିଙ୍କ ହୋଇ ନଥିବା ଆଧାରକାର୍ଡରେ ମଧ୍ୟ ‘ସୁଭଦ୍ରା’ ଯୋଜନା ଆବେଦନ କରିପାରିବେ ବୋଲି ବିଡିଓ କହିଛନ୍ତି । ଆଧାରକାର୍ଡରେ ମୋବାଇଲ ଲିଙ୍କ ଥିଲେ ଶିଘ୍ର ଆବେଦନ ହୋଇ ପାରିବ କିନ୍ତୁ ମୋବାଇଲ ଲିଙ୍କ ନଥିଲେ ମଧ୍ୟ ଆୟ ସ୍କାନ କିମ୍ବା ଫିଙ୍ଗର ପ୍ରିଂଟ ଜରିଆରେ ମହିଳା ମାନେ ଆବେଦନ କରି ପାରିବେ । ଫଳରେ ଆଧାରକାର୍ଡରେ ମୋବାଇଲ ଲିଙ୍କ ପାଇଁ ଭିଡ ଭିତରେ ମହିଳା ମାନଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି । ‘ସୁଭଦ୍ରା’ ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଉତ୍ସାହ ରହିଛି । ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ବ୍ଲକର ୧୯୨ ଟି ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ସମ୍ପୁର୍ଣ୍ଣ ମାଗଣାରେ ‘ସୁଭଦ୍ରା’ ଯୋଜନାର ଫର୍ମ ବଂଟନ କରାଯାଉଛି । ସେହିପରି ୪୦ ଟି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ‘ସୁଭଦ୍ରା’ ଯୋଜନା ଅନଲାଇନ ଯୋଗେ ଆବେଦନ କରାଯାଉଛି । ଫର୍ମ କିମ୍ବା ଅନଲାଇନରେ ଆବେଦନ ପାଇଁ ମହିଳାଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । କୌଣସି ବ୍ୟକ୍ତି ଯଦି ଟଙ୍କା ନେଉଥାନ୍ତି ଅଭିଯୋଗ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି । ଗତ ୪ ତାରିଖ ଠାରୁ ବ୍ଲକରେ ସୁଭଦ୍ରା ଯୋଜନା ଆବେଦନ କରାଯାଉଥିବା ବେଳେ ଶୁକ୍ରବାର ସୁଦ୍ଧା ୧୯୨ ରୁ ଅଧିକ ହିତାଧିକାରୀ ଆବେଦନ କରି ସାରିଥିବା ସୂଚନା ମିଳିଛି । ଅନ୍ୟପଟେ ପ୍ରାୟ ୨୪ ହଜାର ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା ଆବେଦନର ଫର୍ମ ପ୍ରଦାନ କରାଯାଇଛି । ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ କୌଣସି ଶେଷ ତାରିଖ ନାହିଁ , ଯେବେ ଚାହିଁବେ ମହିଳା ମାନେ ଆବେଦନ କରି ପାରିବେ । ସେଥିପାଇଁ ଧୈର୍ଯ୍ୟର ସହ ଆବେଦନ କରି ଏହାର ଲାଭ ଉଠାଇବାକୁ ବିଡିଓ ପରାମର୍ଶ କରିଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ତହସିଲଦାର ପ୍ରଶାନ୍ତ ମହାରଣା ଏବଂ ସିଡିପିଓ ମନୋରମା ମିଶ୍ର ଉପସ୍ଥିତ ରହି ମହିଳା ମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତୀ ଆଣିବା ସହ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରତି ବର୍ଷ ୨ ଟି କିସ୍ତିରେ ୧୦ ହଜାର ଟଙ୍କା ଏବଂ ୫ ବର୍ଷରେ ୫୦ ହଜାର ଟଙ୍କା ପାଇପାରିବେ ବୋଲି କହିଥିଲେ ।