ଓଡ଼ିଶା ଭବନ ଅସୁରକ୍ଷିତ, ରାଜ୍ୟ ସରକାର କଲେ ଘୋଷଣା


ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କଲେ ରାଜ୍ୟ ସରକାର । ଓଡିଶା ଭବନ ଏବେ ରହିବା ପାଇଁ ସୁରକ୍ଷିତ ନୁହେଁ ବୋଲି ମୋହନ ସରକାର ସ୍ପଷ୍ଟ କରିଛନ୍ତି । ପୂର୍ତ୍ତ ବିଭାଗର ତଥ୍ୟ ଆଧାରରେ ରାଜ୍ୟ ସରକାର ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିବା ସହ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ ଜୁନ ୨୯ ତାରିଖରେ ଦିଲ୍ଲୀ ମ୍ୟୁନିସପାଲଟି କାଉନସିଲର ମୁଖ୍ୟ ଆର୍କିଟେକ୍ଟ ସବୁ ସରକାରୀ କୋଠାର ସୁରକ୍ଷା ସମ୍ପର୍କିତ ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ପୂର୍ତ୍ତ ବିଭାଗ ରାଜ୍ୟ ସରକାରଙ୍କ ୩ଟି ଯାକ କୋଠା ଓଡିଶା ଭବନ, ଓଡିଶା ନିବାସ ଓ ଓଡିଶା ସଦନର ସୁରକ୍ଷା ଯାଞ୍ଚ କରିଥିଲେ ।

ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ୨୦୨୨ ଏପ୍ରିଲ ୧୯ ତାରିଖରେ ଓଡିଶା ଭବନ ରହିବା ପାଇଁ ସୁରକ୍ଷିତ ନୁହେଁ ଓ ଏହାକୁ ଦୁଇ ତିନି ବର୍ଷ ମଧ୍ୟରେ ଭାଙ୍ଗିବାକୁ ସୁପାରିଶ କରିଥିଲେ । ଏହି କୋଠା ଆଉ ମରାମତି ଯୋଗ୍ୟ ନୁହେଁ ବୋଲି ମଧ୍ୟ ପୂର୍ତ୍ତ ବିଭାଗ ରିପୋର୍ଟ ଦେଇଥିଲା । ତଦନୁଯାୟୀ ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିବା ସହ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।