ଭାଲୁକୁ ଟ୍ରାଙ୍କୁଲାଇଜ କରିବା ବଦଳରେ ନିଜକୁ ଦେଇ ଦେଲେ ଫରେଷ୍ଟର


ଢେଙ୍କାନାଳ: ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯାଇଥିଲେ ଫରେଷ୍ଟର । ହେଲେ ଅସାବଧାନତା ବଶତଃ ଭାଲୁ ବଦଳରେ ଟ୍ରାଙ୍କୁଲାଇଜର ଇଞ୍ଜେକ୍ସନ ନିଜ ଦେହରେ ଲାଗିଗଲା । ଫଳରେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ ଫରେଷ୍ଟେର । ୧୦ ଘଣ୍ଟା ପରେ ଫେରିଲା ଚେତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେରଜୁଳି ଗାଁରେ ଘଟିଛି ଘଟଣା । ଚିକିତ୍ସା ପରେ ଫରେଷ୍ଟର ସୁସ୍ଥ ଥିବ ଜଣାପଡ଼ିଛି । ଆହତ ଫରେଷ୍ଟେର ଜଣଙ୍କ ହେଲେ ଦିପକ ସାହୁ ।

ଗତକାଲି ବନ ବିଭାଗ ଟିମ୍‌ କେରଜୁଳି ଗାଁରେ ପହଞ୍ଚି ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଇଞ୍ଜେକସନ୍ ଫରେଷ୍ଟେରଙ୍କ ଦେହରେ ବାଜିଥିଲା । ସେହିଠାରେ ଫରେଷ୍ଟର ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ ।

ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ୧୦ ଘଣ୍ଟା ପରେ ଫରେଷ୍ଟରଙ୍କର ଆଜି ଚେତା ଫେରିଛି । ବର୍ତ୍ତମାନ ଫରେଷ୍ଟର ସୁସ୍ଥ ଥିବା ଜଣାଯାଇଛି ।