ନୂଆ ଅବକାରୀ ନୀତି: ପୁରୀରେ ଖଷାଲିବନି ମଦ କ୍ୟାବିନ


ଭୁବନେଶ୍ବର: ସରକାର ଗଠନ ପରେ ପ୍ରଥମ ଅବକାରୀ ନୀତି ଆଣିଲେ ମୋହନ ସରକାର । ନୂଆ ମଦ ନୀତି ଘୋଷଣା ହୋଇଥିବା ବେଳେ ସେଥିରେ ବଡ଼ ପରିବର୍ତ୍ତନ କରାଯାଇଛି । ପୁରୀ ବିଚ୍ରେ ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ଖୋଲିବାକୁ ମନା କରିଛନ୍ତି ସରକାର ।
ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟର ଅନ୍ୟ ଧର୍ମସ୍ଥଳୀ ଅଞ୍ଚଳରେ ବି ଖୋଲିବନି ମଦ ଦୋକାନ । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ବି ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପୁରୀ ସି- ବିଚ୍ରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା । ଏଥିସହ ମନ୍ଦିର ନିକଟରେ ସମୂହ ଦୀପଦାନ କରାଯିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।
ଆନ୍ଦୋଳନକାରୀ ଯୁକ୍ତି ବାଢ଼ିଥିଲେ, ପୁରୀର ସମୁଦ୍ର ତଟ ହେଉଛି ମହୋଦଧି ତଟ । ପ୍ରତି ସନ୍ଧ୍ୟାରେ ସେଠାରେ ମହୋଦଧି ଆଳତୀ କରାଯାଏ । ଅମାବାସ୍ୟାରେ ସେଠାରେ ଅନେକ ନୀତିକାନ୍ତି ସମ୍ପନ୍ନ ହୋଇଥାଏ । ଯେଉଁଠାରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସ୍ଥି ବିସର୍ଜନ କରନ୍ତି ସେଠାରେ କିପରି ମଦର ବନ୍ୟା ସୃଷ୍ଟି କରାଯିବ । ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁଯାୟୀ, ସ୍କୁଲ, କଲେଜ, ଦେବାଳୟ ଓ ଡାକ୍ତରଖାନା ଆଗରେ ମଦ ଦୋକାନ ଖୋଲି ପାରିବନି । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉନି । ତେଣୁ ତୁରନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି ହେଉଛି ।
ରାଜ୍ୟ ସରକାରଙ୍କ ଏହି ମଦ ନୀତିର ବୈଧତା ୭ରୁ ୮ ମାସ ପର୍ଯ୍ୟନ୍ତ ରହିବ । କିନ୍ତୁ ଆଗାମୀ ବର୍ଷ ଯେଉଁ ମଦ ନୀତି ଆସିବ ସେଥିରେ ବ୍ୟାପକ ପରିବର୍ତ୍ତନ ଆଣିବେ ନୂଆ ସରକାର । ମୁଖ୍ୟତଃ ଉକ୍ତ ନିୟମରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନେବେ କଠୋର ପଦକ୍ଷେପ ।