ଗଣେଶ ବିସର୍ଜନ ବେଳେ ବୁଡ଼ିଗଲେ ୪ ଛାତ୍ର


ବାରିପଦା: ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ ଛାତ୍ର । ଗଣେଶ ମୂର୍ତ୍ତି ବିସର୍ଜନ କରିବା ବେଳେ କେନାଲରେ ୪ ଛାତ୍ର ବୁଡ଼ି ଯାଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
ନିଖୋଜ ଜଣେ ଛାତ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ସାରସ କଣାର ବୋଲି ଜଣାଯାଇଛି । ଛାତ୍ରମାନେ ଆଦର୍ଶ ବିଦ୍ୟାଳୟରରେ ପାଠ ପଢ଼ୁଥିବା ବେଳେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ । ସମସ୍ତ ଛାତ୍ର ଯୁକ୍ତଦୁଇରେ ପାଠ ପଢ଼ୁଥିବା ଜଣାଯାଇଛି ।
ହଷ୍ଟେଲରେ ଗଣେଶ ପୂଜା ହୋଇଥିଲା । ଆଜି ଦିନ ପ୍ରାୟ ୧୦ଟା ସମୟରେ ୪ ଜଣ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଲକ୍ଷ୍ମୀପୋଷିରେ ସୁବର୍ଣ୍ଣରେଖା କେନାଲକୁ ଆସିଥିଲେ । ଏହି ସମୟରେ ଆସାବଧାନତା କାରଣରୁ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ । ସେଠାରେ ଥିବା ସ୍ଥାନାୟ ଲୋକେ ୨ ଜଣଙ୍କୁ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ ।