ଭୁବନେଶ୍ବର: ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ପୁଳା ପୁଳା ସୁନା । ଭରିଏ କି ଦୁଇ ଭରି ନୁହେଁ ୨୦ କେଜି ସୁନା ଜବତ କରାଯାଇଛି । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ଏହି ସୁନା ଜବତ କରିଛି ସିଟି ଆଣ୍ଡ ଜିଏସଟି । ସୁନା ଜବତ ଘଟଣାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଉଛି ।
୨୦କେଜି ସୁନାରୁ ୧୬ କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪ କେଜି ସୁନାର ହିସାବ ମେଳ ଖାଉନାହିଁ । ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି । ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି ।
ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରେ ସୁନା ଆସୁଥିବା ସିଟି ଆଣ୍ଡ ଜିଏସଟି କୌଣସି ସୁତ୍ରରୁ ଖବର ପାଇଥିଲା । ପରେ ଟିମ୍ ବିମାନବନ୍ଦର ବାହାରେ ଛକି ରହିଥିଲା । ଜଣେ ବ୍ୟକ୍ତି ୨୦ କେଜି ସୁନା ଧରି ବିମାନବନ୍ଦରରୁ ବାହାରି ବେଳେ ସିଟି ଆଣ୍ଡ ଜିଏସଟି ଟିମ୍ ତାଙ୍କୁ ମାଡ଼ି ବସିଥିଲା । ବାଣୀବିହାରରେ ଥିବା ସିଟି ଆଣ୍ଡ ଜିଏସଟି ଅଫିସକୁ ନେଇ ପଚରାଉଚରା କରାଯାଇଥିଲା । ହିସାବ ମିଳୁ ନଥିବା ୪ କେଜି ସୁନାର ଖୋଳତାଡ଼ ଆରମ୍ଭ ହୋଇଛି । ଏହି ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା ସିଟି ଆଣ୍ଡ ଜିଏସଟି ପକ୍ଷରୁ କୁହାଯାଇଛି ।
ଗତ ୨୬ ତାରିଖରେ ମଧ୍ୟ ୩୦ କେଜି ସୁନା, ୨୦୦ କେଜି ରୁପା ବିମାନବନ୍ଦରରୁ ଜବତ କରାଯାଇଥିଏେ । ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲା । ଏନେଇ ଏବେ ବି ତଦନ୍ତ ଜାରି ରହିଛି । ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଥିବା ଜଣାଯାଇଛି ।