Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରାର ଶୁଭାରମ୍ଭ କରିବା ସହ ଆବାସ କିସ୍ତି ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ସୁଭଦ୍ରା ଗିଫ୍ଟ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୭ ତାରିଖରେ ରାଜଧାନୀ ଭୁବନେଶ୍ବରର ଜନତା ମୈଦାନରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କ ହାତାକୁ ଟଙ୍କା ଟ୍ରାନ୍ସଫର କରିବେ । ଏହାସହ ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ ‘ଘର ମଞ୍ଜୁରୀ ପତ୍ର’, ୨୬ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ ସହ ‘ଆବାସ+ ୨୦୨୪’ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତଦିନ ପ୍ରଧାନମନ୍ତ୍ରୀ ଓଡ଼ିାାରେ ସାଢ଼େ ୩ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି ।

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ୧୭ ତାରିଖ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ୧୧ଟା ୫୫ ମିନିଟରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଯିବେ । ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ । ସେହିପରି ୨୬ଲକ୍ଷ ଆବାସ ହିତାଧିକାରୀଙ୍କୁ ସେମାନଙ୍କର ଘରର ପ୍ରଥମ କିସ୍ତି ବାବଦରେ ୩୧୮୦ କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡରେ ସ୍ଥାନାନ୍ତର କରିବେ । ଏହାସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆବାସ+ ୨୦୨୪’ ଆପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ।

ଜନତା ମଇଦାନରେ ବିଶାଳ ମହିଳା ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ସେଠାରେ ବସିବା ପାଇଁ ଯଥେଷ୍ଟ ସଂଖ୍ୟକ ଚେୟାର, କାର୍ଯ୍ୟକ୍ରମସ୍ଥଳ ନିକଟ ରାସ୍ତାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ମୋବାଇଲ୍ ଶୌଚାଳୟ, ବାୟୋ ଟଏଲେଟ ଆଦି ବ୍ୟବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅଧିକ ଲୋକେ ଯେଭଳି ଦେଖିପାରିବେ ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟାପକ ସଂଖ୍ୟକ ଏଲଇଡି ଲଗାଇ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ନିମନ୍ତେ ନିଷ୍ପତ୍ତି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ