ଦୁଇ ପୁଅ ମିଶି ମାଆର ଗଳା କାଟିଦେଲେ


କଟକ: ସବୁ ଗର୍ଭ ଯନ୍ତ୍ରଣା ସହି ପିଲାଙ୍କୁ ଜନ୍ମ କରିଥିଲା । ଛୋଟରୁ ବଡ଼ କରିବା ଭିତରେ ସବୁ ଅଳି ଅଝଟ ସହି ଯାଉଥିଲା । ପିଲାର କିଛି ହୋଇଗଲେ ହୃଦୟ କାନ୍ଦି ପକାଉଥିଲା । ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଆଗରେ ପାଚେରୀ ପରି ଛିଡ଼ା ହୋଇଯାଉଥିଲା । ସେହି ମାଆ ପ୍ରତି ଦୁଇ ପୁଅଙ୍କ ସୈତାନୀ ଅତ୍ୟାଚାର । ମାଆ କ’ଣ ପଦେ କହିଦେବାରୁ ଦୁଇ ପୁଅ ମିଶି ତାଙ୍କ ଗଳା କାଟି ହତ୍ୟା କରିଦେଲେ । ଏମିତି ଘଟଣା ଘଟିଛି କଟକ ଜିଲ୍ଲାର ମହାନଦୀ ବିହାରରେ । ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ ।

ମହାନଦୀ ବିହାର ସ୍ଥିତ ଘରେ ମାଆ ଓ ଦୁଇ ପୁଅ ରୁହନ୍ତି । ଆଜି ସକାଳେ ଦୁଇ ପୁଅ ମିଶି ମାଆ ଗଳାକାଟି ହତ୍ୟା କରିଥିଲେ । ପାଖ ପଡ଼ୋଶୀ ମହିଳାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ । ଏନେଇ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାଆର ଗଳା କାଟିବା ପରେ ଗୋଟିଏ ପୁଅ ଫେରାର ହୋଇଯାଇଥିବା ବେଳେ ଅନ୍ୟ ପୁଅଟିକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ? ହତ୍ୟାକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନି । ପଡ଼ୋଶୀଙ୍କ ସୂଚନା ଅନୁସାରେ ଦୁଇ ପୁଅଙ୍କ ମାଆ ସହ କୌଣସି କଥାକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା ।