୧୮ ତାରିଖରେ ରତ୍ନଭଣ୍ଡାର ନିରୀକ୍ଷଣ, ଖୋଲିପାରେ ଗୁପ୍ତ ସୁଡ଼ଙ୍ଗ ରହସ୍ୟ


ପୁରୀ: ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ନିରୀକ୍ଷଣ କରିବ ଏଏସଆଇ । ଏଥିଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସେହିଦିନ ଯେଭଳି ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନହେବ ସେଥିଲାଗି ବିଶେଷ ନୀତି ନିର୍ଘଣ୍ଟ କରାଯାଇଛି । ଏଏସଆଇର ଏହି ନିରୀକ୍ଷଣ ପରେ ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗକୁ ନେଇ ଥିବା ରହସ୍ୟ ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି ।

ସେପ୍ଟେମ୍ବର ୧୮ ତାରିଖ ବୁଧବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ତେବେ ମହାପ୍ରସାଦ କିଣିବାକୁ ଇଚ୍ଛୁକ ଥିବା ଭକ୍ତ ସିଂହଦ୍ୱାର ଦେଇ ବାଇଶି ପାହାଚରେ ପ୍ରବେଶ କରି ଆନନ୍ଦ ବଜାରରୁ ମହାପ୍ରସାଦ କିଣି ପାରିବେ ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏଏସଆଇ ରତ୍ନଭଣ୍ଡାର ନିରୀକ୍ଷଣ କରିବେ । ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ଖାଲି ଆଲମିରା ତଥା ସିନ୍ଦୁକଗୁଡିକ ମଧ୍ୟ ସ୍ଥାନାନ୍ତରିତ ହୋଇସାରିଛି l ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯାଇଛି । ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନିରୀକ୍ଷଣ କରିବ ଏଏସ୍ଆଇ । ଏହାପରେ ଆବଶ୍ୟକସ୍ଥଳରେ ରତ୍ନଭଣ୍ଡାରର ମରାମତି କରାଯିବ ।