ଭୁଶୁଡ଼ିଲା କୋଠା: ୬ ମୃତ, ଏବେ ବି କଂକ୍ରିଟ ଖଣ୍ଡ ତଳେ ଚାପି ହୋଇ ରହିଛନ୍ତି ୪ ଜଣ


ମିରଟ: ଉତ୍ତର ପ୍ରଦେଶ ମିରଟରେ ଅଭାବନୀୟ ଘଟଣା । କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କୋଠାର ଭଗ୍ନାବଶେଷ ତଳେ ଏବେ ବି ୪ ଜଣ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଲୋକେ ଶୋଇଥିବା ଅବସ୍ଥାରେ କୋଠାଟି ଭୁଶୁଡ଼ି ପଡିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ, କୋଠାର ଭଗ୍ନାବଶେଷ ତଳେ ୧୪ ଜଣ ଫସି ରହିଥିଲେ । ଉଦ୍ଧାରକାରୀ ଟିମ୍ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏବେ ବି କୋଠା ତଳେ ୪ ଜଣ ଚାପି ହୋଇ ରହିଛନ୍ତି । ଲଗାଣ ବର୍ଷା ସତ୍ତ୍ୱେ ସେମାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ମୀନା କହିଛନ୍ତି । 

ସେପଟେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି । ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି । ମିରଟରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏହି କାରଣରୁ କୋଠାଟି ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି ।