ଆଜି ସୃଷ୍ଟିକର୍ତ୍ତା ବିଶ୍ବକର୍ମାଙ୍କ ପୂଜା, ସବୁଠି ଉତ୍ସାହ


ଭୁବନେଶ୍ବର: ଆଜି ବିଶ୍ବ ନିର୍ମାତା ବିଶ୍ବକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି ।

ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା । ଚଳିତବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି । ଆକର୍ଷଣୀୟ ତୋରଣ ସଜେଇଛନ୍ତି । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିଭଳି ଅନୁଗୁଳ ନାଲକୋ ନଗରରେ ବେଶ ଧୂମଧାମରେ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ ।

ରାଜଧାନୀ ଭୁବନେଶ୍ବରର ବି ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ବକର୍ମା । ଯାଜପୁର କଳିଙ୍ଗ ନଗର, ସମେତ ରାଜ୍ୟର ଅନ୍ୟ ଶିଳ୍ପାଞ୍ଚଳ ଯେଭଳି ଯୋଡ଼ା, ବଡବିଲ, ତାଲଚେର, କଟକର ଜଗତପୁର, ଭୁବନେଶ୍ବରର ମଞ୍ଚେଶ୍ବର, ଷ୍ଟିଲସିଟି ରାଉରକେଲା ମଧ୍ୟ ବେଶ ଧୂମଧାମରେ ପୂଜା ପାଳନ ହେଉଛି ।