ରାୟଗଡ଼ା: କାମ ଅନ୍ୱେଷଣରେ ଦୁଇ ଦିନ ତଳେ ହୋଟେଲରେ ପହଞ୍ଚିଥିଲେ । ମାତ୍ର ହୋଟେଲରେ କାମ କରିବା ବେଳେ ନେଲେ ଚରମ ନିଷ୍ପତ୍ତି ଓ ସେହିଠାରେ ହିଁ ଝୁଲି ପଡ଼ିଲେ । ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲା ପଦ୍ମପୁର ସୁନାରୀ ଘାଇ ଛକରେ ଘଟିଛି । ମୃତକ ଜଣକ ହେଲେ ୩୦ ବର୍ଷୀୟ ଭିକାରୀ ପ୍ରଧାନ । ତାଙ୍କ ଘର ସମ୍ବଲପୁର ଜିଲ୍ଲାର ହୀରାକୁଦରେ ବୋଲି ଜଣାଯାଇଛି ।
ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ କାମ ଖୋଜୁଥିବା ଭିକାରୀଙ୍କୁ ରାୟଗଡ଼ାର ଏକ ହୋଟେଲରେ କାମ ମିଳିଥିଲା । ତେଣୁ ସେ ହୀରାକୁଦରୁ ରାୟଗଡ଼ା ଆସିଥିଲେ । ସେଠାରେ ଦୁଇ ଦିନ କାମ କରିବା ପରେ ଉକ୍ତ ଦୋକାନରେ ହିଁ ଝୁଲି ପଡ଼ିଛନ୍ତି ।
କୌଣସି କାମରେ ବାହାରକୁ ଯାଇଥିବା ଦୋକାନ ମାଲିକ ଫେରିବା ପରେ ଏହା ଦେଖି ପୋଲିସ୍କୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଏନେଇ ଭିକାରୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ତେବେ ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଥିବା ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ବିଶ୍ୱାସ କରି ପାରୁ ନଥିବା ବେଳେ କାନ୍ଦବୋବାଳିରେ ଫାଟୁଛି ଘର । ତେବେ ଦୁଇ ଦିନ ତଳେ କାମ ପାଇଁ ଆସିଥିବା ଜଣେ ଯୁବକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।