ଭୁବନେଶ୍ବର: ପୋଲିସ ଥାନାରେ ତାଙ୍କୁ ଓ ତାଙ୍କ ବାନ୍ଧବୀଙ୍କୁ ନିସ୍ତୁକ ମାଡ଼ କାରିଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ସେନା ଅଧିକାରୀ । ରାଜଧାନୀର ଭାରତପୁର ଥାନାରେ ଏଭଳି ଅମାନବୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଘଟଣା ୩ ଦିନ ତଳେ ଘଟିଥିବା ବେଳେ ଏବେ ଗଣମାଧ୍ୟମର ଶିରୋନାମା ପାଲଟଛି । ସେନା ପକ୍ଷରୁ ଘଟଣା ସଂପର୍କରେ ଟ୍ୱିଟ୍ କରାଯିବା ପରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ଏଥିସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମେଜର ଗୁରୁବଂଶ ସିଂହଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଡିଜିପି କହିଛନ୍ତି ।
ସେନା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ । ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ । ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା । ଏପରିକି ସେନା ଅଧିକାରୀଙ୍କୁ ଲକ୍ଅପରେ ରାତି ତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।
ଏହାକୁ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ତାଙ୍କୁ ଅର୍ଦ୍ଧନଗ୍ନ କରି ପ୍ରବଳ ପିଟିଥିଲେ । ଯୁବତୀ ଜଣଙ୍କ ପୋଲିସ ମାଡ଼ରେ ଲହୁଲୁହାଣ ହୋଇଯାଇଥିବା ବେଳେ ତାଙ୍କୁ ଗିରଫ କରି ମେଡିକାଲ ଚେକଅପ୍ ପାଇଁ ପଠାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ତେବେ ପୋଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ହୋଇଛି । ପରେ ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦେଇଥିଲା ।
ଘଟଣା ସଂପର୍କରେ ଖବର ପାଇ କିଛି ସେନା ଅଧିକାରୀ ଭରତପୁର ଥାନାରେ ପହଞ୍ଚି ପ୍ରତିବାଦ କରିଥିଲେ । ପରେ ପୋଲିସ ମେଜର ଗୁରୁବଂଶ ସିଂହଙ୍କୁ ଛାଡ଼ିଦେବାରୁ ସେନା ଅଧିକାରୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।
ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛି ସେନା । ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ଏହାକୁ ଗୁରତର ସହ ନିଆଯାଇଥିବା କୁହାଯାଇଛି । ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଅପରପକ୍ଷେ, ଭରତପୁର ଥାନା ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ବେଳେ ପୋଲିସ ଓଲଟା ଅଭିଯୋଗ ଆଣିଛି । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୋଲିସକୁ ଖରାପ ବ୍ୟବହାର କରିଥିଲେ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି ।