କୋଟଗଡ଼: ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲା ରୋଗୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ କୋଟଗଡ଼ ବ୍ଲକ୍ ବାଡିପାଙ୍ଗା ଗାଁରେ । ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ୩ କିମି ଖଟିଆରେ ବୁହା ହେଲେ ରୋଗୀ । ଫଳରେ ଠିକ ସମୟରେ ଚିକିତ୍ସା ନମିଳିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଗାଁକୁ ପକ୍କା ରାସ୍ତା ନଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି ।
ମୃତ ବ୍ୟକ୍ତି ହେଲେ କନ୍ଧମାଳ କୋଟଗଡ଼ ବ୍ଲକ୍ ବାଡିପାଙ୍ଗା ଗାଁର ଶ୍ରୀକାନ୍ତ ରଇତ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ କୋଟଗଡ଼ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ହେଲେ ରାସ୍ତା ଖରାପ ଥିବାରୁ ଗାଁକୁ ଯାଇପାରି ନଥିଲା ଆମ୍ବୁଲାନ୍ସ ।
ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ପ୍ରାୟ ୩ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଁଚାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଶ୍ରୀକାନ୍ତଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।