ନବରଙ୍ଗପୁର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରେ ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ଘଟିଛି ସମାନ ଧରଣର ଘଟଣା । ଫରକ ଏତିକି ସେଠାରେ ଜଣେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ବେଳେ ଓଡ଼ିଶାରେ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଯୌନ ରାକ୍ଷସ ଶିକାର କରିଛନ୍ତି । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣକ ଶୌଚ ପାଇଁ ଯାଉଛି କହି ଗତକାଲି ମଧ୍ୟାହ୍ନ ସମୟରୁ ଘରୁ ଏକ ଗାମୁଛା ନେଇ ବାହାରିଥିଲା । ବହୁ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ଶେଷରେ ରାତି ୮ଟାରେ ସ୍କୁଲ ପଛ ବୁଦା ମୂଳରୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତା’ର ପାଟିରେ ଗାମୁଛା ବନ୍ଧା ହୋଇଥିଲା ଓ ଉପରେ ଡାଳପତ୍ର ଘୋଡ଼ାଇ ଦିଆଯାଇଥିଲା । ତେଣୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l
ଖବର ପାଇଁ ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ଯାଞ୍ଚ କରୁଛି l ଆଜି ସକାଳୁ ସନ୍ଧାନୀ କୁକୁର ପହଞ୍ଚି ସାରିଥିବା ଜଣାଯାଇଛି । ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଅଭିଯୁକ୍ତ କିଏ, ଗାଁର ନା ଗାଁ ବାହାରର ତାହାର ତଦାରଖ ଆରମ୍ଭ କରିଛି ପୋଲିସ୍ ।
ଏହି ଖବର ପ୍ରଚାରିତ ହେବା ପରଠୁ ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗତକାଲି ରାତିରୁ ଉତ୍ତ୍ୟକ୍ତ ଲୋକ ଗାଁ ରାସ୍ତା ଅବରୋଧ କରିଛନ୍ତି । ସେମାନେ ଗ୍ରାମର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଓ ପଥର ରଖି ରାସ୍ତା ଅବରୋଧ କରିଛନ୍ତି । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବି ଗାଁକୁ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ।