ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ରୁଜୁ ହେବ ନୂଆ ମାମଲା


ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାରେ ନୂଆ ମାମଲା ରୁଜୁ ହୋଇ ତଦନ୍ତ କରାଯିବ । ସେନା ଅଧିକାରୀ ରୋଡ ରୋମିଓଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଆଧାର କରି ଏହି ମାମଲା କରାଯିବ । ଏହାସହ ମୂଳ ମାମଲାର ବି ତଦନ୍ତ କରାଯିବ । ଏନେଇ ଡିଜିପି ୱାଇ.ବି. ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।
ତେଣୁ ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ । ଏହି ମାମଲା ଆଧାରରେ ସେମାନଙ୍କୁ ରାସ୍ତା ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ଼ ରୋମିଓଙ୍କୁ ଚିହ୍ନଟ କରାଯିବ । ଏହାପରେ ସେମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜିପି ।
୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ । ହେଲେ ପୋଲିସ ରୋଡ୍ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । ଏହାକୁ ନେଇ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତାହାରି ଭିତରେ ଗୁରୁବଂଶଙ୍କୁ ରାତି ତମାମ୍ ଲକ୍ ଅପ୍ରେ ରଖିଥିଲା ପୋଲିସ୍ । ତାଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ ।
ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ପୋଲିସର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଜାମିନ ବି ମଞ୍ଜୁର ହୋଇଯାଇଛି ।
ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୋଲିସର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ତତକ୍ଷଣାତ ଆଇଆଇସିଙ୍କ ସମେତ ୫ ପୋଲିସ୍ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଛି । ତେବେ ଏହି ଘଟଣାର ମୂଳ ମାମଲାର ଏବେ ତଦନ୍ତ ହେବ । ରାଜଧାନୀ ରାସ୍ତାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ଼ ରୋମିଓଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।