ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ନିଲମ୍ବିତ ଆଇଆଇସି ଓ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା


ଭୁବନେଶ୍ବର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର ଏବଂ ଅନ୍ୟ ୪ ଜଣ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି । କେସ୍ ନମ୍ବର ୧୧/୨୦୨୪ରେ ଅପରାଧିକ ଏହି ମାମଲା ରୁଜୁ କରାଯାଇଛି ।

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ ଡିଜି ଡିଜି ୱାଇ.ବି. ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଥାନାକୁ ଯାଇ ଖୋଳତାଡ଼ କରିବା ସହ ନିଲମ୍ବିତ ଆଇଆଇସି ଓ ୪ ପୋଲିସ କର୍ମଚାରୀଙ୍କୁ ଜେରା କରିଥିଲା । ଏବେ ସେମାନଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ ।

ପୋଲିସ୍ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । ଏହାକୁ ନେଇ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତାହାରି ଭିତରେ ଗୁରୁବଂଶଙ୍କୁ ରାତି ତମାମ୍‌ ଲକ୍‌ ଅପ୍‌ରେ ରଖିଥିଲା ପୋଲିସ୍‌ । ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ ।

ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା । ପୋଲିସର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହିତ ତାଙ୍କ ଜାମିନ ବି ମଞ୍ଜୁର ହୋଇ ଯାଇଛି । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୋଲିସର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ଆଇଆଇସିଙ୍କ ସମେତ ୫ ପୋଲିସ୍‌ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଥିଲା ।