ଆଉ ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୧୧ଟି ସ୍ଥାନରେ ରେଡ୍


ବାଲେଶ୍ବର: ସରକାର ବଦଳିବା ପରେ ଲାଞ୍ଚୁଆ ଅଫିସର ତ୍ରାହି ତ୍ରାହି ଡାକୁଛନ୍ତି । ଭିଜିଲାନ୍ସ କେତେ ବେଳେ କାହା ଘରର କବାଟ ନକ୍ କରିବ ସେହି ଚିନ୍ତାରେ ଦୁର୍ନୀତିଖୋର ଅଧିକାରୀଙ୍କ ରାତିର ନିଦ ହଜିଗଲାଣି । ଜଣଙ୍କ ପରେ ଜଣେ କୋଟିପତି ଯନ୍ତ୍ରୀ ପଡ଼ୁଛନ୍ତି ଭିଜିଲାନ୍ସ ଜାଲରେ । ଏହି କ୍ରମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ.ଭି. ହରିହର ରାଓଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢାଉ ଜାରି ରହିଛି ।

ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚକେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ୱର ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘର ଓ କେନ୍ଦୁଝର ବଳଦେବଜିଉ କଲୋନୀରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକ କାଳୀନ ଚଢ଼ଉ କରାଯାଇଛି । ଚଢ଼ାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି । ମୁଖ୍ୟଯନ୍ତ୍ରୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ଉ କରିଛି ।