କାଲିଠାରୁ ୩ ଦିନି ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ, ଦିନ ୨ଟାରୁ ସାଧାରଣ ଦର୍ଶନ ବନ୍ଦ


ପୁରୀ: ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ବୈଷୟିକ ସର୍ଭେ ଆରମ୍ଭ ହେବ । ଦୁଇଦିନ ତଳେ ଏଏସଆଇ ପ୍ରାରମ୍ଭିକ ଯାଞ୍ଚ କରିଥିଲା । କାଲିଠାରୁ ଅର୍ଥାତ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏଏସଆଇ ଟିମ୍ ରତ୍ନଭଣ୍ଡାରର ଯାଞ୍ଚ କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସର୍ଭେ ହେବ, ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦୁଇ ଦିନ ତଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସରିଛି ଲେଜର ସ୍କାନିଂ । ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ୱରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି । ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ । ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ । ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ତେଣୁ ତା’ପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରିବାକୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।