ମିଛ ମିଛିକା ଫାଶି ଲଗା ନେଇଗଲା ପୁଅର ଜୀବନ, ବାପା କଲେ ଆତ୍ମହତ୍ୟା


ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମଟିବାହାଲ କ୍ୟାମ୍ପସ ଛକରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କ ହୃଦୟରୁ କନ୍ଦେଇ ପକାଇବ । ଭାଇ ଭଉଣୀଙ୍କ ମିଛ ମିଛିକା ଫାଶି ଲଗା ଖେଳରେ ଚାଲିଗଲା ଭାଇର ଜୀବନ । ଆଉ ପୁଅର ମୃତ୍ୟୁକୁ ସହି ନପାରି ବାପା କରିଦେଲେ ଆତ୍ମହତ୍ୟା । ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଲମଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହଙ୍କ ଝିଅ ଓ ପୁଅ ରୋହନ ସିଂହଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଭଉଣୀକୁ ଡରାଇବାକୁ ଯାଇ ରୋହନ ତାଙ୍କ ଶୋଇବା ଘରେ ମାଆଙ୍କ ଏକ ଶାଢ଼ିରେ ମିଛି ମିଛିକା ଆତ୍ମହତ୍ୟା କରିବାର ନାଟକ କରୁଥିଲେ । କିନ୍ତୁ ଅଭିନୟ ହିଁ ତାଙ୍କର ଜୀବନ ନେଇଗଲା । ପୁଅର ମୃତ୍ୟୁକୁ ବାପା ଝସକେତନ ସିଂହ ସହି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଖବର ପାଇ ବ୍ରଜରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାପା, ପୁଅଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।