ଭରତପୁର ନିର୍ଯାତନା ମାମଲା: ୨୪ ତାରିଖ ୬ ଘଣ୍ଟିଆ ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି


ଭୁବନେଶ୍ବର: ବିଜେଡି ପକ୍ଷରୁ ୨୪ ତାରିଖରେ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ପ୍ରତ୍ୟାହାର କରିନିଆଯାଇଛି । ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ବିଜେଡି ରାଜଧାନୀ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛି ।

ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ବେଳେ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି ଅନୁଯାୟୀ, ବିଜେପି ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୬୦ ଦିନରେ ତଦନ୍ତ ସାରିବାକୁ କୁହାଯାଇଛି । ତେଣୁ ଏ ସଂକ୍ରାନ୍ତରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଦଳ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲିର ବନ୍ଦ ଡାକରାକୁ ପ୍ରତ୍ୟାହାର କରାଯାଉଛି ।

ଗତ ୨୨ ତାରିଖରେ ବିଜେଡି ପକ୍ଷରୁ ଆୟୋଜିତ ଏକ ପ୍ରେସମିଟ୍‌ରେ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ଦଳ ।  ଆସନ୍ତାକାଲି ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦ ପାଳନ କରିବ ବୋଲି ଦଳ କହିଥିଲା ।