କିଡନୀ ପ୍ରତ୍ୟାରୋପଣ ପରେ ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ଉତ୍ତେଜନା


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡାକ୍ତରଙ୍କ ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ଘରୋଇ ଡାକ୍ତରଖାନାରେ ଉତ୍ତେଜନା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ୱରାଜ ବିଷୋୟୀ । କିଡନୀ ପ୍ରତ୍ୟାରୋପଣ ପରେ ସ୍ବରାଜଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୯ ତାରିଖରେ ସ୍ୱରାଜ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ମାତ୍ର ଅପରେସନର କିଛି ସମୟ ପରେ ସ୍ୱରାଜଙ୍କର ଇଣ୍ଟର୍ନାଲ ବ୍ଲିଡିଂ ହୋଇଥିଲା । ପରିବାର ଲୋକେ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ଇଣ୍ଟର୍ନାଲ ବ୍ଲିଡିଂ ରୋକିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସ୍ୱରାଜଙ୍କ ମୃତ୍ୟୁ ଘଟିଥିଲା । କିଡନୀ ପ୍ରତ୍ୟାରୋପଣରେ ଭୁଲ ଭଟକା ସହ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ସ୍ୱରାଜଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତ ସ୍ୱରାଜଙ୍କ ସମ୍ପର୍କୀୟ ସୁରେଖା ପ୍ରଧାନ କହିଛନ୍ତି, କିଡନୀ ପ୍ରତ୍ୟାରୋପଣ ପରେ ତାଙ୍କର ଇଣ୍ଟର୍ନାଲ ବ୍ଲିଡିଂ ହୋଇଥିଲା । ଏନେଇ ଆମେ ଡାକ୍ତରଙ୍କୁ ଜଣାଇଥିଲୁ । ଡାକ୍ତର ଦେଖିବା ପରେ ଇଣ୍ଟର୍ନାଲ ବ୍ଲିଡିଂ ବନ୍ଦ ହୋଇ ନଥିଲା । ବାହାରୁ ଡାକ୍ତର ଡାକିବା ପାଇଁ ଆମେ କହିଥିଲୁ । ହେଲେ ସେ ଆମ କଥା ନ ଶୁଣି ରୋଗଙ୍କୁ ଅନ୍ୟତ୍ର ନେଇ ଯିବା ପାଇଁ କହିଥିଲେ । 

ଘରୋଇ ହସ୍ପିଟାଲର ଏମଡି ନିଲାଞ୍ଜନା ମୁଖାର୍ଜୀ କହିଛନ୍ତି, ଏହି ହସ୍ପିଟାଲରେ ପୂର୍ବରୁ କିଡନୀ ପ୍ରତ୍ୟାରୋପଣ ହୋଇଛି ଓ ସଫଳ ମଧ୍ୟ ହୋଇଛି । ଅନ୍ୟ ମେଡିକାଲରୁ ଡାକ୍ତରଙ୍କୁ ଡାକି ଘଟଣାର ତଦନ୍ତ କରାଯିବ । ଡାକ୍ତରଙ୍କ ଅବହେଳାରୁ ଯଦି ରୋଗୀଙ୍କ ମୃତ୍ୟୁ ହୋଇଥାଏ ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।