ଗୋଟିଏ ଦିନ ପୂର୍ବରୁ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ


ପୁରୀ: ୨୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସେଗର୍ କାମ ସରିବା କଥା । ହେଲେ ଧାର୍ଯ୍ୟ ସମୟର ଗୋଟିଏ ଦିନ ଆଗରୁ ସର୍ଭେ ସରିଛି । ଲେଜର ସ୍କାନିଂ ଓ ରାଡାର ସର୍ଭେ କାର୍ଯ୍ୟ ରତ୍ନଭଣ୍ଡାରରେ ଶେଷ ହୋଇଛି । ରାଡାର ସର୍ଭେର ତଥ୍ୟ ତର୍ଜମା କରାଯିବା ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବ । ଏଥିପାଇଁ ୧୦ ଦିନରୁ ଅଧିକ ସମୟ ଲାଗିପାରେ । ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଅଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଏହାକୁ ନେଇ ବିଶେଷଜ୍ଞମାନଙ୍କ ପରାମର୍ଶ ଓ ମତାମତ ନିଆଯିବ । ବିଶେଷଜ୍ଞଙ୍କ ମତାମତ ତଥା ଛତିଶା ନିଯୋଗ ଓ ପରିଚାଳନା କମିଟିରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ମରାମତି ପାଇଁ ଅନୁମୋତି ଲୋଡ଼ାଯିବ । ଶୃଙ୍ଖଳିତ ଭାବେ ସବୁ କାର୍ଯ୍ୟ ସରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ, ଏଏସଆଇ,ପୋଲିସ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମରେ ରତ୍ନଭଣ୍ଡାରର ବାହାର ଭଣ୍ଡାରରୁ ସ୍ବର୍ଣ୍ଣ ଅଳଙ୍କାର ବାହାର କରାଯାଇଥିଲା । ଏହାପରେ ଭିତର ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାରରୁ ଅଳଙ୍କାର କରାଯାଇଥିଲା । ଦୁଇ ଭଣ୍ଡାରରୁ ଅଳଙ୍କାର କଢ଼ାଯିବା ପରେ ସେଥିରେ ଥିବା ସିନ୍ଦୁକ ଓ ଆଲମିରାକୁ ବାହାର କରାଯାଇଥିଲା । ଏହାପରେ ଗତ ୨୧ ତାରିଖରୁ ରତ୍ନଭଣ୍ଡାରର ରାଡର ସର୍ଭେ ଆରମ୍ଭ ହୋଇଥିଲା । ଏହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ଗୋଟିଏ ଦିନ ପୂର୍ବରୁ ଗତକାଲି ୨୨ ତାରିଖରେ ସର୍ଭେ କାମ ଶେଷ ହୋଇଛି ।