ଟ୍ରକରେ ଲାଗିଲା ନିଆଁ, ପୋଡ଼ି ଅଙ୍ଗାର ହୋଇଗଲା ୩୦ ଟନ୍ ଡାଲି


କଟକ: ରାୟପୁରରୁ ଡାଲେ ବୋଝେଇ କରି କୋଣାର୍କ ଯାଉଥିବା ଏକ ଟ୍ରକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଟ୍ରକରେ ଥିବା ୩୦ ଟନ୍ ଡାଲି ପୋଡ଼ି ପାଉଁଶ ହୋଇଯାଇଛି । ଗାଡିଟି ରାସ୍ତାରେ ଯାଉଥିବା ବେଳେ ହଠାତ ହୁତୁହୁତୁ ହୋଇ ଜଳିଥିଲା । ସୌଭାଗ୍ୟ ବଶତଃ ଟ୍ରକ୍ ଡ୍ରାଇଭର ସୁରକ୍ଷିତ ଅଛନ୍ତି ।

ଘଟଣା ଆଜି ଭୋର ସମୟରେ ଘଟିଛି । ଭୋର ପ୍ରାୟ ୪ଟା ବେଳେ ଟ୍ରକ୍‌ଟି ଡାଲି ନେଇ କୋଣାର୍କ ଅଭିମୁଖେ ଯାଉଥିଲା । ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ଜାଣି ପରିଥିଲେ । ସେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା । ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଟ୍ରକ୍‌ରେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।