୭ ଦିନରେ ବଦଳି ଗଲା ମୋହନ ସରକାରଙ୍କ ସ୍ବର: ୧୩ ଅବସରପ୍ରାପ୍ତ ଅଫିସରଙ୍କୁ ପୁଣି ଥରେ ଥଇଥାନ


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ୧୩ ଜଣ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କୁ ପୁଣି ଥରେ ଥଇଥାନ କରିଛନ୍ତି । ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଜାରି କରିବା ନିଷ୍ପତ୍ତିକୁ ୭ ଦିନ ନପୁରୁଣୁ ତାକୁ ଖୋଲା ଉଲ୍ଲଘଂନ କରିଛନ୍ତି । ଏପରିକି ନବୀନ ପଟ୍ଟନାୟକ ସରକାରଙ୍କ ଯେଉଁ ସଂକଳ୍ପ ‘୨୦୧୪ ଅଗଷ୍ଟ ୨୭’କୁ ବର୍ତ୍ତମାନର ମୋହନ ସରକାର ରଦ୍ଦ କରିଥିଲେ, ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ୧୩ ଜଣ ଅଫିସରଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସେପ୍ଟେମ୍ବର ୧୨ ତାରିଖରେ ଯେଉଁ ‘ସଂକଳ୍ପ’ ଜାରି କରି ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ଅଙ୍କୁଶ ଜାରି କରିବା ସହ ପୁନଃନିଯୁକ୍ତିର ନିୟମକୁ କଡ଼ାକଡ଼ି କରିଥିଲେ । ନବୀନ ସରକାରଙ୍କ ଏସଂକ୍ରାନ୍ତ ‘ସଂକଳ୍ପ’କୁ ସମ୍ପୂର୍ଣ୍ଣ ରଦ୍ଦ କରିଥିଲେ ମୋହନ ସରକାର । ଏବେ ସେହି ସଂକଳ୍ପକୁ ଆଧାର କରି ରାଜ୍ୟ ପୋଲିସ ମୁଖ୍ୟାଳୟରେ ୧୩ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ କିଭଳି ପୁନଃ ଥଇଥାନ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ୧୩ ଜଣ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଛି । ଏହି ୧୩ ଜଣ ଅଫିସରଙ୍କ ମଧ୍ୟରୁ ୧୨ ଜଣ ଅଫିସରଙ୍କୁ ଏକବର୍ଷ ପାଇଁ ପୁନଃନିଯୁକ୍ତି ମିଳିଥିବାବେଳେ ଜଣେ ଅଫିସରଙ୍କୁ ୨୦୨୫ ମେ’ ୨୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଆଶ୍ଚର୍ଯ୍ୟର କଥା, ଚଳିତମାସ ଅର୍ଥାତ୍ ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଯେଉଁ ୨୦୧୪ ଅଗଷ୍ଟ ୨୭ତାରିଖର ‘ସଂକଳ୍ପ’କୁ ରଦ୍ଦ ଘୋଷଣା କରିଥିଲେ ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ଏହି ସମସ୍ତ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି । ସେମାନଙ୍କୁ ଆବଶ୍ୟକ ପାରିଶ୍ରମିକ ମଧ୍ୟ ଅର୍ଥ ବିଭାଗର ୨୦୨୨ ସେପ୍ଟେମ୍ବର ୨୯ତାରିଖର ନିର୍ଦ୍ଦେଶନାମା ଅନୁସାରେ ମିଳିବ । ଏହି ସମସ୍ତ ଅଫିସର ରାଜ୍ୟ ପୋଲିସ ମୁଖ୍ୟାଳୟରେ ‘ଓଏସଡି’ ଭାବେ କାର୍ଯ୍ୟ ତୁଲାଇବେ । ନିୟମିତ ପ୍ରକ୍ରିୟାରେ ମୂଳ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ଅବା ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଏହି ‘ଓଏସଡି’ ଭାବେ ସେମାନଙ୍କୁ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଛନ୍ତି ।

ଯେଉଁ ଅବସରପ୍ରାପ୍ତ ମିନିଷ୍ଟ୍ରିଆଲ ଅଫିସରଙ୍କୁ ‘ଓଏସଡି’ ଭାବେ ପୁନଃ ଥଇଥାନ ପାଇଁ ରାଜ୍ୟ ସରକାର ଚଳିତ ମାସ ୧୮ତାରିଖରେ ଅନୁମତି ଦେଇଛନ୍ତି ସେମାନେ ହେଲେ ଖଗେଶ୍ୱର ବେହେରା, ବସନ୍ତ କୁମାର ସାହୁ, ଟି.ରାଜୁ, ଅନନ୍ତ କିଶୋର ଜେନା, ବସନ୍ତ କୁମାର ଜେନା, ପ୍ରମିଳା ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ,ଅମୂଲ୍ୟ କୁମାର ପ୍ରଧାନ, ବିଜୟ କୁମାର ସାମନ୍ତସିଂହାର, ଭାବଗ୍ରାହୀ ସାହୁ, ଦେବୀପ୍ରସାଦ ମିଶ୍ର,ସୁନାକର ନାୟକ ଏବଂ ମାନସ ରଞ୍ଜନ ମହାନ୍ତି । ଏମାନଙ୍କ ମଧ୍ୟରୁ କେବଳ ଖଗେଶ୍ୱର ବେହେରାଙ୍କୁ ୨୦୨୫ ମେ’ ୨୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଥିବାବେଳେ ଅନ୍ୟ ୧୨ ଜଣଙ୍କୁ ଏକ ବର୍ଷ ପାଇଁ କାର୍ଯ୍ୟ କରିବାର ଅନୁମତି ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଜାରି ପାଇଁ ଚଳିତମାସ ୧୨ ତାରିଖରେ ଯେଉଁ ସଂକଳ୍ପ ଜାରି କରିଥିଲେ ତାକୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ କିଭଳି ଭୁଲିଗଲା । ନବୀନ ପଟ୍ଟନାୟକ ସରକାରଙ୍କ ୨୦୧୪ ଅଗଷ୍ଟ ୨୭ର ‘ସଂକଳ୍ପ’କୁ ମୋହନ ସରକାର ରଦ୍ଦ କରିଥିଲେ ମଧ୍ୟ ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ଚଳିତମାସ ୧୮ ତାରିଖରେ ଏହି ୧୩ ଜଣ ଅଫିସରଙ୍କୁ ପୁନଃନିଯୁକ୍ତି ଦେବାକୁ କିଏ ଅନୁମତି ଦେଇଛନ୍ତି । ଏହି ଅଫିସରମାନଙ୍କୁ ‘ଓଏସଡି’ ଭାବେ ନିଯୁକ୍ତି ଦେବା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଛି କି, ମୁଖ୍ୟମନ୍ତ୍ରୀ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି କି ? ଏହି ପଦବୀଗୁଡ଼ିକ ପାଇଁ ଖୋଲା ବିଜ୍ଞାପନ ଦିଆଯାଇଥିଲା କି ?

ଉଲ୍ଲେଖଯୋଗ୍ୟ, ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ରାଜ୍ୟର ମୋହନ ମାଝୀ ସରକାର ଅସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ । ଏପରିକି ବିଜେଡି ସରକାରଙ୍କ ସଂକଳ୍ପକୁ ରଦ୍ଦ କରି କଡ଼ା ନିୟମ ଆଣିଥିଲେ । ମାତ୍ର ନିଜେ ଆଣିଥିବା ‘ସଂକଳ୍ପ’କୁ ସପ୍ତାହେ ନପୁରୁଣୁ ବିଜେଡି ସରକାରର ସଂକଳ୍ପ (ରଦ୍ଦ) ଆଧାରରେ ୧୩ ଜଣ ଅଫିସରଙ୍କୁ ପୁନଃନିଯୁକ୍ତି ଦେବା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।