ରାତିରେ କେନାଲକୁ ଓଲଟିଲା କାର୍, ସକାଳୁ ମିଳିଲା ଡ୍ରାଇଭର ମୃତଦେହ


କଟକ: ରାତିରେ କେନାଲକୁ ଖସି ପଡ଼ିଲା କାର୍ । ସକାଳୁ ଦେଖିଲେ ଲୋକେ । ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର । କାରଟି ରାତିରେ ଯିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣା କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଘଟିଛି। ମୃତକ ହେଲେ ବମ୍ଫୁକୁଦ ଗାଁର କାହ୍ନା ଜେନା ।

ଆଜି ସକାଳେ ବମ୍ଫୁକୁଦ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ ଏକ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ । ପରେ କାରରୁ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାଁ କାହ୍ନା ବୋଲି ଜଣାପଡିଛି ।

କାହ୍ନା ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରୁଥିଲେ । ଏହି ସମୟରେ କାର୍‌ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।