ଆଜିଠୁ ଦୂର୍ଗାପୂଜାର ଆଦ୍ୟପର୍ବ: ପୀଠରେ ଷୋଳପୂଜା ଆରମ୍ଭ, ପ୍ରାହ୍ମଣ ବରଣ କରିବେ ଗଜପତି ମହାରାଜ


ପୁରୀ: ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ଦୂର୍ବାପୂଜାର ଆଦ୍ୟ ପର୍ବ ଷୋଳପୂଜା । ଏଥିନିମନ୍ତେ ଶ୍ରୀନଅରରେ ଗଜପତି ଦିବ୍ୟସିଂହ ଦେବ ସ୍ତୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିବେ । ୧୬ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପୂଜା ପାଇଁ ରାଜଗୁରୁ, ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡିଆ ପ୍ରଦାନ କରିଥାନ୍ତି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ ଅନୁଷ୍ଠିତ ହେବ ।

ଗଜପତି ମହାରାଜା ୨୧ ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ହେବାକୁ ଥିବା ପୂଜା ପାଇଁ ନିଯୁକ୍ତ କରିବେ । ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ ।

ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଆ ବିମଳାଙ୍କ ପୀଠରେ ଷୋଡ଼ଷ ଉପଚାରରେ ପୂଜାବିଧି ଆରମ୍ଭ ହେବ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଆଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ କରାଯିବ ।

କେବଳ ପୁରୀ ନୁହେଁ, ରାଜ୍ୟର ଅନ୍ୟ ଶକ୍ତିପୀଠରେ ମଧ୍ୟ ଆଜିଠାରୁ ଷୋଳପୂଜା ଆରମ୍ଭ ହେବାକୁ ଯାଉଛି । ମାଆ କଟକଚଣ୍ଡି, ମାଆ ବିରଜା, ମାଆ ଶାରଳା, ମାଆ ତାରିଣୀ, ମାଆ ମଙ୍ଗଳାଙ୍କ ପାଖରେ ମଧ୍ୟ ଷୋଳପୂଜା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୯ ତାରିଖରେ ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହେବ ।