କୋଣାର୍କ: ଲଘୁଚାପ ବର୍ଷା ପଦାରେ ପକାଇଲା ପ୍ରଶାସନିକ ଅବହେଳା । ବିଶ୍ବ ହେରିଟେଜ୍ କୋଣାର୍କ ସୂର୍ଯ୍ୟ ମନ୍ଦିର ହେଲା ଜଳବନ୍ଦୀ । ଲଘୁଚାପ ଜନିତ ଲଗାଣ ବର୍ଷାରେ କୋଣାର୍କ ମନ୍ଦିର ପରିସରରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି । ଏକ ବିଶ୍ବ ପର୍ଯ୍ୟଟନ ସ୍ଥଳିରେ ଜଳ ନିଷ୍କାସନର ଏପରି ସ୍ଥିତିକୁ ଦେଖି ଏଠାକୁ ବୁଲିବାକୁ ଆସୁଥିବା ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ବି ଲାଗି ରହିଛି ବର୍ଷା । ଫଳରେ ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ । ଜମି ରହିଛି ଫୁଟେ ଉଚ୍ଚର ପାଣି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ୱ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି । ଫଳରେ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି । ଫଳରେ ସେମାନେ ମନ୍ଦିର ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏ ପରିସ୍ଥିତି କିଛି ନୂଆ ନୁହେଁ । ଅଳ୍ପ ସମୟ ବର୍ଷାରେ ବି ପାଣି ଏଠି ଲହରି ଭାଙ୍ଗେ ।
ଏପରି ସମସ୍ୟା ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆନ୍ତରିକତା ପ୍ରକାଶ ପାଉନି । ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଖରାପ ଅନୁଭୂତି ନେଇ ଫେରୁଛନ୍ତି ।