Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର୍ଡଫ୍ଲୁ ରୋଗକୁ ନେଇ ଭୟଭୀତ ନ ହେବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବାର୍ଡଫ୍ଲୁ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ତ୍ତମାନ ସମୟରେ ବାର୍ଡଫ୍ଲୁ ରୋଗ ଦେଖା ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରୋଗର ବ୍ୟାପକତା ମାନବ ଜାତିକୁ କେମିତି ସ୍ପର୍ଶ ନ କରିବ ସେ ବିଷୟରେ ଆଲୋଚନା କରାଯାଇଛି। ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ, ପ୍ରାଣୀ ଚିକିତ୍ସା ବିଭାଗ, ପୋଲିସ, ଜଙ୍ଗଲ ବିଭାଗ, ମ୍ୟୁନ୍ସିପାଲଟି, ପୂର୍ତ୍ତ ଓ ଜନ ସ୍ଵାସ୍ଥ୍ୟ ବିଭାଗର ପଦାଧିକାରୀ ମାନେ ଯୋଗଦେଇଥିଲେ। ଡ଼ାଃ ପରମାନନ୍ଦ ସେଠୀ, ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ବାର୍ଡଫ୍ଲୁ ରୋଗ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଜିଲ୍ଲାରେ ବାର୍ଡଫ୍ଲୁ ର ସଂକ୍ରମଣ ଅବରୋଧନ ପାଇଁ ନିଆଯାଇଥିବା କାର୍ଯ୍ୟପନ୍ଥା ଓ ପଦକ୍ଷେପ ବିଷୟରେ କହିଥିବା ବେଳେ ଜିଲ୍ଲାପାଳ ଏହି ବିଷୟକୁ ଗମ୍ଭୀର ଭାବରେ ନେବାପାଇଁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଡ଼ାଃ ସେଠୀଙ୍କ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରୋଗର ସଂକ୍ରମଣ ଏ ପର୍ଯ୍ୟନ୍ତ ଦେଖାଦେଇନାହଁ ଏବଂ କୌଣସି ପ୍ରକାରର ମାଂସ ପାଇଁ ପକ୍ଷୀ ବାହ୍ୟ ଆମଦାନୀ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜିଲ୍ଲାରେ ଏହି ବାର୍ଡଫ୍ଲୁ ସଂକ୍ରମଣ ଯାଞ୍ଚ ଏବଂ ପ୍ରତିଷେଧକ ପାଇଁ ୬ଗୋଟି ବ୍ଲକରେ କାର୍ଯ୍ୟକ୍ରମ ଜାରି ରହିଛି। ବିଶେଷ ସୂଚନା ଥାଉକି, ମଣିଷ ଶରୀରରେ ବାର୍ଡଫ୍ଲୁ ନେଇ ଆତଙ୍କିତ ନ ହେବାପାଇଁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ରାଜ୍ୟ ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି।ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ପ୍ରଶାସନ ରଖିଥିବା ବେଳେ ଜିଲ୍ଲାରେଥିବା ସମସ୍ତ ଫାର୍ମ କୁ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ପରଖିଛନ୍ତି। ବର୍ତ୍ତମାନ ବୈଜ୍ଞାନିକ ଦୃଷ୍ଟିକୋଣରୁ ୧୦୦ ଡିଗ୍ରୀ ତାପମାତ୍ରା ରୁ ଅଧିକରେ ମାଂସକୁ ସିଝାଇ ଖାଇପାରିବେ ମାତ୍ର ଏଭଳି ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।ମଲା କିମ୍ବା ରାଗିଣା କୁକୁଡ଼ା ଆଦୌ ଖାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଡ଼ାଃ ସେଠୀ। ତେବେ ସୂଚନା ଥାଉ କି ବାର୍ଡଫ୍ଲୁ ଏକ ଭୂତାଣୁ ଜନିତ ରୋଗ। ଏଥିରେ କୁକୁଡ଼ା ଆଦି ପକ୍ଷୀ ମାନେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି।ବେଳେ ବେଳେ ବାର୍ଡଫ୍ଲୁ ର ଭୁତାଣୁ ପକ୍ଷୀମାନଙ୍କଠାରୁ ମଣିଷ ମାନଙ୍କୁ ସଂକ୍ରମିତ ହେବାର ସମ୍ଭାବନା ଥାଏ।ଏଣୁ କୁକୁଡ଼ା ସଂସ୍ପର୍ଶରେ ଆସି ଯଦି କୌଣସି ବ୍ୟକ୍ତିର ଜ୍ୱର, ଥଣ୍ଡା ବା କାଶ ଲାଗି ରହେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ମରିଯାଇଥିବା କାଉ, କୁକୁଡ଼ା ଏଣେ ତେଣେ ନ ଫୋପାଡ଼ି, ମଲା ପକ୍ଷୀଙ୍କୁ ପୋତି ଦିଅନ୍ତୁ। କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବରେ ସିଝାଇ ଖାଆନ୍ତୁ। ୭୦ ଡିଗ୍ରୀ ସେଲିସିୟସ ରୁ ଉର୍ଦ୍ଧ୍ବ ତାପମାତ୍ରାରେ ୩୦ ମିନିଟ ପର୍ଯ୍ୟନ୍ତ ସିଝାଇଲେ ଏହି ଭୁତାଣୁ ଲୋପପାଇଯାଏ । କୌଣସି ସ୍ଥାନରେ ଅସ୍ଵାଭାବିକ ପକ୍ଷୀ ମୃତ୍ୟୁ ହେଲେ ତୁରନ୍ତ ନିକଟ ପ୍ରାଣୀ ଚିକିତ୍ସକ କିମ୍ବା ବାର୍ଡଫ୍ଲୁ କଣ୍ଟ୍ରୋଲ ରୁମକୁ ଅବଗତ କରନ୍ତୁ। ଏଣୁ ଏହି ରୋଗ ପ୍ରତି ଭୟଭୀତ ନହେବା ସହ ବାର୍ଡଫ୍ଲୁ ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ