ଜିଲ୍ଲାପାଳ ସମ୍ମିଳନୀରେ ଚାଲିଛି ରାଜ୍ୟ ବିକାଶର ରୋଡମ୍ୟାପ୍ ପ୍ରସ୍ତୁତି


ଭୁବନେଶ୍ବର: ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି । ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ବୈଠକ ।

ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ସମସ୍ତ ଏସପିମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ । ସରକାରଙ୍କ ବିଭିନ୍ନ ଯୋଜନାର କ୍ରିୟାନ୍ୱୟନ ବାବଦରେ ବିସ୍ତୃତ ଆଲୋଚନା କରାଯିବ । ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିର ଶେଷରେ ଥିବା ବ୍ୟକ୍ତି ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ପହଞ୍ଚିବ, ସେ ନେଇ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର । ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଏହି ମନ୍ତ୍ର ଜିଲ୍ଲାପାଳ ଓ ଏସପିଙ୍କ ପରେ ବ୍ଲକ ଅଧିକାରୀ ଓ ତହସିଲଦାରମାନଙ୍କୁ ମଧ୍ୟ ଦିଆଯିବ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜି ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସୂଚନା ଦେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ ।

ତା’ପରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ । ସାଢ଼େ ୧୦ଟାରୁ ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅଧିବେଶନରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ସଫଳ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରମୁଖ ସଚିବଙ୍କ ସମେତ କଟକ ଓ କୋରାପୁଟ ଜିଲ୍ଲାପାଳ ନିଜର ମତ ରଖିବେ । ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ସେହିପରି ୧୧ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ଅଧିବେଶନରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେବ । ଏଥିରେ ଖାଦ୍ୟଯୋଗାଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକ, ସମବାୟ ରେଜିଷ୍ଟ୍ରାରଙ୍କ ସମେତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ନିଜର ରିପୋର୍ଟ ଉପସ୍ଥାପନ କରିବେ । ଏହି ଅଧିବେଶନକୁ ପରିଚାଳନା କରିବେ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ।

ସେହିପରି ୧୨ଟାରୁ ୪୫ମିନିଟ୍ ଧରି ରାଜ୍ୟରେ ପିଏମ-ଜନମନ ଯୋଜନା ସମେତ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୟ ନୂଆ ଯୋଜନା(ମାଧୋ ସିଂ ହାତଖର୍ଚ୍ଚ ସମେତ) ଆଦିର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ସମେତ କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାପାଳ ନିଜର ମତ ରଖିବେ । ଏହି ଅଧିବେଶନକୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୧୨ଟା ୪୫ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧିବେଶନରେ ପିଏମଶ୍ରୀ ଯୋଜନାର ପ୍ରଶିକ୍ଷଣ, ନିପୁଣ ଓଡ଼ିଶାର କାର୍ଯ୍ୟକାରିତା, ଗୋଦାବରୀଶ ମଇଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାଗଦର୍ଶିକା ପାଇଁ ପରାମର୍ଶ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ ଏଥିରେ ନିଜର ମତାମତ ରଖିବେ । ଏହି ଅଧିବେଶନକୁ ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ମଧ୍ୟାହ୍ନଭୋଜନ ପରେ ସାଢ଼େ ୨ଟାରେ ଅପରାହ୍ନ ଅଧିବେଶନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଉଭୟ ଗ୍ରାମାଂଚଳ ଓ ସହରାଂଚଳ) ଏବଂ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ଆଲୋଚନା ହେବ । ଏଥିରେ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାପାଳ ନିଜର ମତ ରଖିବେ । ଏହି ୪୫ମିନିଟର ଅଧିବେଶନକୁ ପାନୀୟ ଜଳ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୩ଟା ୧୫ମିନିଟରେ ଶିଳ୍ପାଂଚଳ ବିକାଶ ପ୍ରସଙ୍ଗରେ ୪୫ମିନିଟ୍ ଧରି ଆଲୋଚନା ହେବ । ଏଥିରେ ‘ଇଜିଅଫ୍ ଡୁଇଙ୍ଗ ବିଜିନେସ ଓ ଉତ୍ତରଦାୟୀ ପ୍ରଶାସନ’ ପ୍ରସଙ୍ଗରେ ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାପାଳ ମତାମତ ରଖିବେ । ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ଆସନ୍ତାକାଲିର ଶେଷ ଅଧିବେଶନ ୪ଟା ୧୫ମିନିଟରେ ଆରମ୍ଭ ହେବ ଓ ଏଥିରେ ଅଭିଯୋଗର ସମାଧାନ ଓ ସରକାରୀ ସେବା ପ୍ରଦାନ ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବଗତ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳମାନେ ଗ୍ରୁଫ୍ ଫଟୋ ଉଠାଇବେ ।

ରାତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନ କରିବେ । ଦ୍ୱିତୀୟ ଦିନ ଅର୍ଥାତ୍ ୨୮ତାରିଖ ସକାଳ ସାଢ଼େ ୯ଟାରେ ଜିଲ୍ଲା ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ପୁଲିସ ଡିଜି ୱାଇବି ଖୁରାନିଆ ସ୍ୱାଗତ ଅଭିଭାଷଣ ରଖିବେ । ମୁଖ୍ୟ ସଚିବ ମନୋଜ ଆହୁଜା ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାୟ ୨୫ମିନିଟ୍ ଧରି ଏସପିମାନଙ୍କୁ ଗୁରୁମନ୍ତ୍ର ଦେବେ ।