ଭୁବନେଶ୍ବର: ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣି ମିଳିବ ଗହମ । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପୂର୍ବ ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ । ଏବେ ଅର୍ଡର୍ ଆସିଛି, ହିତାଧିକାରୀ ମୁଣ୍ଡ ପିଛା ଏକ ପଞ୍ଚମାଂଶ ଗହମ ମଳିବ । ଅର୍ଥାତ ଜଣେ ହିତାଧିକାରୀଙ୍କୁ ୨୦ ପ୍ରତିଶତ ଗହମ ମିଳିବ । ଜଣେ ହିତାଧିକାରୀ ୨୦ କେଜି ଚାଉଳ ସହ ୫ କେଜି ଗହମ ନେଇ ପାରିବେ । ଯଦି ଜଣେ ହିତାଧିକାରୀ ଚାହିଁବେ ୧୫ କେଜି ଚାଉଳ ସହ ୧୦ କେଜି ଗହମ ମଧ୍ୟ ନେଇପାରିବେ ।
ମନ୍ତ୍ରୀ କହିଛନ୍ତି, ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ସେମାନଙ୍କର E-KYC ଯାଞ୍ଚ ଚାଲିଛି । ଯାଞ୍ଚ ପରେ ସେମାନଙ୍କୁ ରାସନକାର୍ଡ ମିଳିବ । E-KYC ଯାଞ୍ଚ ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ ସରକାର ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ । ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବେଳେ ନିଷ୍ପତ୍ତି ନେଇଥିଲେ ।