ଭରତପୁର ମାମଲା: ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ


ଭୁବନେଶ୍ବର: ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ ପୂର୍ବରୁ ୍ଅନୁମତି ମିଳିଥିବା ବେଳେ ଏବେ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ମିଳିଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । ଯାହାକୁ ଗ୍ରହଣ କରିଛନ୍ତି କୋର୍ଟ ।
ପୂର୍ବରୁ ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା । ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରି ସାରିଛନ୍ତି ।
ଏହି ମାମଲାକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ଗତ ୨୫ ତାରିଖରେ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ ।
ଗତ ୨୫ ତାରିଖରେ ସକାଳେ ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ନିଜ ପକ୍ଷ ରଖିଥିଲେ । ସେଠାରେ ସେମାନଙ୍କୁ ନେଇ ସିନ୍ ରିକ୍ରିଏସନ କରାଯାଇଥିଲା । ଏହାପରେ ସେମାନଙ୍କୁ ନେଇ ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍ । ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ । ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି । କ୍ରାଇମବ୍ରାଞ୍ଚ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଥିଲେ ।
ଉକ୍ତ ଦିନ ଅପରାହ୍ନରେ ଭରତପୁର ଥାନାରେ ପହଞ୍ଚିଥିଲେ ଏହି ମାମଲାରେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ । ସେମାନଙ୍କୁ ଧରି ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।