ଭରତପୁର ଥାନା ମାମଲା: ଆଜି ସତ୍ୟପାଠ ପାଇଁ ଜାରି ହେବ ବିଜ୍ଞପ୍ତି


ଭୁବନେଶ୍ବର: ଭରତପୁର ଥାନା ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସତ୍ୟପାଠ ଆହ୍ୱାନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଗତକାଲି ବୈଠକ ପରେ ତଦନ୍ତ କମିଶନଙ୍କ ସଚିବ କହିଛନ୍ତି, ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ । ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ । ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ । ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରାଯିବ ବୋଲି ତଦନ୍ତ କମିଶନଙ୍କ ସଚିବ କହିଛନ୍ତି ।

ସେ ଆହୁରି କହିଛନ୍ତି, ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ପଚରାଉଚରା କରାଯିବ । ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ । ସାକ୍ଷ୍ୟ ଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ।

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଘଟଣାରେ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ପୋଲିସ ଅଧିକାରୀ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଗତ ରବିବାରଠାରୁ ଗୁଜରାଟର ଗାନ୍ଧୀନଗର ଯାଇଛନ୍ତି । ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।