ଶିଶୁପୁତ୍ର ମୃତ୍ୟୁକୁ ନେଇ ହସ୍ପିଟାଲରେ ହଙ୍ଗାମା, ପରିବାର ଲୋକେ କହିଲେ ଏ ପିଲା ଆମର ନୁହେଁ


ଅନୁଗୁଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ଶିଶୁ ସେମାନଙ୍କର ନୁହେଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯଦି ପିଲାଟି ସେମାନଙ୍କର ନୁହେଁ, ତେବେ କାହାର ? ଭୁଲ ବଶତଃ ଏମିତି ହୋଇଛି ନା, ଶିଶୁ ବଦଳ କରି କେହି ଏମାନଙ୍କ ପିଲାକୁ ନେଇ ମଲା ପିଲା ଧରେଇ ଦେଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରେଙ୍ଗାଳି ଗାଁର ବାପୁ ଗୋଚ୍ଛାୟତଙ୍କ ପତ୍ନୀ ଲିଜା ଗତ ୨୭ ତାରିଖରେ କଣିହାଁ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁଟିର ସ୍ୱାସ୍ଥ୍ୟ ଠିକ୍‌ ନଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏସଏନସିୟୁରେ ଶଯ୍ୟା ନମ୍ବର ୧୬ରେ ଶିଶୁକୁ ରଖି ଚିକିତ୍ସା କରାଯାଉଥିଲା । ମାତ୍ର ଗତକାଲି ସକାଳେ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା । ଅଧିକ ଚିକିତ୍ସା ୧୬ ନମ୍ବର ବେଡ଼ରୁ ୧୨ ନମ୍ବର ବେଡ଼କୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା ।

ଶିଶୁମୃତ୍ୟୁ ଖବର ଶୁଣି ଉତ୍ତ୍ୟକ୍ତ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୬ ନମ୍ବର ବେଡ୍‌ରୁ ୧୨ ନମ୍ବର ବେଡ୍‌କୁ କାହିଁକି ଅଣାଗଲା ? ଯଦି ଅଣାଗଲା ପରିବାର ଲୋକକୁ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଏଥିସହ ମୃତ ଶିଶୁ ସେମାନଙ୍କର ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଗତକାଲି ରାତିରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଉତ୍ତେଜନା ଥମିଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା  ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । 

ମୃତ ନ ଜାତକର ବାପା ବାପୁ ଗୋଛାୟତ କହିଛନ୍ତି, ସକାଳେ ମୋ ଛୁଆ ଠିକ୍‌ ଥିଲା । ସନ୍ଧ୍ୟାବେଳେ ଡାକ୍ତର କହୁଛନ୍ତି ମୋ ଛୁଆ ମରି ଯାଇଛି । ମୋ ଛୁଆ ଏସଏନସିୟୁରେ ୧୬ ନମ୍ବର ବେଡ୍‌ରେ ଥିଲା, ତାକୁ ୧୨ ନମ୍ବର ବେଡ୍‌କୁ ଆଣିଛନ୍ତି । ଏହି ବିଷୟରେ ଆମକୁ ଜଣାଇନାହାନ୍ତି । ମୋ ଛୁଆର ମୁଣ୍ଡ ଚେପଟା ନଥିଲା । ଯେଉଁ ଛୁଆ ମରିଯାଇଛି, ତା’ର ମୁଣ୍ଡ ଚେପଟା ଅଛି । ଏ ଛୁଆ ଆମର ନୁହେଁ ।