ନୟାଗଡ଼: କେନ୍ଦୁପତ୍ର ଫଡିରେ ପଶିଲେ, ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିଲେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ସାକେଣି କେନ୍ଦୁପତ୍ର ଫଡ଼ିରୁ ଏମିତି ହୋଇଛି ଲୁଟ୍ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି କେନ୍ଦୁପତ୍ର ଫଡ଼ି କର୍ମଚାରୀ ।
ଗତକାଲି ରାତିରେ ଏକ ପିକଅପ୍ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ । ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ । ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ।
ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ । ପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନ ଓ କର୍ମଚାରୀଙ୍କ ଦରମା ବାବାଦ ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତମାନେ ଯିବା ପରେ କର୍ମଚାରୀମାନେ ଘଟଣା ସଂପର୍କରେ ଉପରିସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ । ଏଥିସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କର୍ମଚାରୀ । ଅଭିଯୋଗ ପାଇବାପ ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।