ପୋଲିସ, ଅଗ୍ନିଶମ, ଅବକାରୀ ଓ ଜଙ୍ଗଲ ସେବାରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ, ବାହାରିଲା ବିଜ୍ଞପ୍ତି


ଭୁବନେଶ୍ବର: ଓଡ଼ିଶା ୟୁନିଫର୍ମ (ପୋଷାକ) ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସ ସୀମାରେ କୋହଳକୁ ନେଇ ନିୟମାବଳି ସମ୍ପର୍କିତ ଅଧିସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।
ପୂର୍ବରୁ ଗତ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁନିଫର୍ମ ସେବା କ୍ଷେତ୍ରରେ ଓଡ଼ିଶାର ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବା ସହ ୫ ବର୍ଷ ବୟସସୀମା କୋହଳ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ । ଏହି ଅନୁସାରେ ଅଧିସୂଚନା ଜାରି ହୋଇଛି ।
ଅଧିସୂଚନା ଅନୁସାରେ, ଓଡ଼ିଶାର ୟୁନିଫର୍ମ ସେବା ଅର୍ଥାତ୍ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ସହିତ ଅଗ୍ନିବୀରଙ୍କ ପାଇଁ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
ସେହିପରି ରାଜ୍ୟର ‘ଗ’ ଓ ‘ଘ’ ବର୍ଗର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ଲାଗି ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ । ଏଥିସହ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।
କାରଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନା ଦେଶର ଯୁବ ସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି ।
ଜୀବନର ସବୁ କ୍ଷେତ୍ରରେ ଆହ୍ୱାନକୁ ଗ୍ରହଣ କରିପାରୁଥିବା ଯୁବ ସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ସରକାର ଓଡ଼ିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ ।
ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ଛତିଶଗଡ଼ ପରେ ପୂର୍ବତନ ସେନା ଅଧିକାରୀଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛି ଓଡ଼ିଶା ।