ଡାହାଣୀ ସନ୍ଦେହ, ଭାଉଜକୁ ହାଣିଲା ହତ୍ୟା କରିବା ପରେ ଥାନାରେ ପହଞ୍ଚିଲା ଦିଅର


କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟା । ଡାହାଣୀ ସନ୍ଦେହରେ ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦିଅର । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
ମିଳିଥିବା ସୂଚନା ଅନୁସାରେ, ଘଷିପୁରା ଥାନା ପାତନା ଗାଁରେ ସିଦ୍ଧେଶ୍ୱର ମୁର୍ମୁଙ୍କ ପତ୍ନୀ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ କରୁଥିଲେ ତାଙ୍କ ଦିଅର ଗଙ୍ଗା ମୁର୍ମୁ । ଯେଉଁଥି ପାଇଁ ଭାଉଜ ଓ ଦିଅରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି ଅପରାହ୍ନରେ ଘରେ ସୀତା ଏକା ଥିଲେ । ସେ ଘର କାମରେ ବ୍ୟସ୍ତ ଥିବା ବେଳେ ଗଙ୍ଗା ଏକ ଟାଙ୍ଗିଆ ଧରି ପହଞ୍ଚିଥିଲା । ଆଉ ସାମ୍ନାରେ ଭଉଜ ସୀତାଙ୍କୁ ପାଇ ଟାଙ୍ଗିରେ ଚୋଟ ପରେ ଚୋଟ ପକାଇଥିଲା । ଘଟଣା ସ୍ଥଳରେ ହିଁ ସୀତାଙ୍କର ମୃତ୍ୟୁ ଘଟିଥିଲା ।
ଭାଉଜଙ୍କୁ ହତ୍ୟା କରିବା ପରେ ଗଙ୍ଗା ରକ୍ତାକ୍ତ ଟାଙ୍ଗିଆ ଧରି ନିକଟସ୍ଥ ବ୍ରାହ୍ମଣୀପାଳ ଥାନାରେ ପହଞ୍ଚିଥିଲା । ଆଉ ସେ ତା’ ଭାଉଜଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ବ୍ରାହ୍ମଣୀପାଳ ଥାନା ପୋଲସ୍‌ ଅଭିଯୁକ୍ତ ଗଙ୍ଗାକୁ ଧରି ଘଷିପୁରା ପୋଲିସ୍‌କୁ ହସ୍ତାନ୍ତର କରିଥିଲା । ଖବର ପାଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ଘଷିପୁରା ଥାନା ଅଧିକାରୀ ସୁଶିଲ କର, ଏସ୍‌ଆଇ ମାନସ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଗୁଣି ଗାରେଡିରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ସନ୍ଦେହ କରୁଛି ।