ଘରେ ପଶି ଯୁବକଙ୍କୁ ହାଣିଲେ


ବ୍ରହ୍ମପୁର: ରାଜନୈତିକ ଶତ୍ରୁତାରୁ ରକ୍ତାକ୍ତ ଆକ୍ରମଣ । ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଖଣ୍ଡାରେ ହାଣି କଲେ ଲହୁଲୁହାଣ । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାରିନୁଆଗାଁରେ । ଗୁରୁତର ଯୁବକ ହେଲେ ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିପ୍ର ଘରେ ଥିବା ବେଳେ ହଠାତ ୩ ଦୁବୃର୍ତ୍ତ ତାଙ୍କ ଘରେ ପଶି ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ । ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତରେ ଗଭୀର ଆଘାତ ଲାଗିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ।