ନୟାଗଡ଼: ବିଜେଡି ନେତାଙ୍କୁ ଲାଗିଛି ଫୋର୍ ଫଟି ଭୋଲଟେଜର ଝଟକା । ଆଉ ଏହି ଝଟକା ଦେଇଛି ଖଣି ବିଭାଗ । ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ନିଆଯାଇଛି ଏପରି କଡ଼ା ଆକ୍ସନ । ପଡ଼ିଛି ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍ । ବିଜେଡି ନେତା ଜଣକ ହେଉଛନ୍ତି ବେଣୁଧର ପ୍ରଧାନ ।
ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ଖଣିକୁ ବନ୍ଦ କରାଯିବା ସହ ବିଏନଏସଏସ ଧାରା ୧୬୩ ଜାରି କରିଛି ଖଣି ବିଭାଗ ।
ବିଜେଡ଼ି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଲିଜଧାରୀ ବେଣୁଧର ପ୍ରଧାନ ନୟାଗଡ଼ କାସିଆ ପାହାଡ଼କୁ ଲିଜ୍ ସୂତ୍ରରେ ନେଇଥିଲେ । ଏହାପରେ ସେ କାସିଆ ପାହାଡ଼ରେ ଅନୁମତିଠାରୁ ମାତ୍ରାଧିକ ଖଣି ଉତ୍ତୋଳନ କରିଥିଲେ । ଏଥିସହ ଜଙ୍ଗଲ ଜମିରେ ବେଆଇନ ଖନନ ମଧ୍ୟ କରି ଚାଲିଥିଲେ ।
ବର୍ଷ ବର୍ଷ ଧରି ଏନେଇ ବେଣୁଧରଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ବି ବିଜେଡି କ୍ଷମତାରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା । ଏଥିଯୋଗୁଁ ପାହାଡ଼ଟି ଲଣ୍ଡା ହେବାକୁ ବସିଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାସହ ପରିବେଶ ସନ୍ତୁଳନ ବି ବିଗିଡ଼ି ଯିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ମାତ୍ର ବେଣୁଧର ଏହାକୁ ଖାତିର ନକରି ଖଣି ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଆଉ ଏବେ ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ ।
ଭୁବନେଶ୍ୱର ORSAC ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ମାପଚୁପ କରାଯାଇଥିଲା । ତେବେ ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଲିଜଧାରୀ ବେଣୁଧର ପ୍ରଧାନ । ଏଥିସହ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଆଶା ଥିବା କହିଛନ୍ତି ।