ଗଣେଶ ବିସର୍ଜନ ଶୋଭାଯାତ୍ରାରେ ପଥର ମାଡ଼, ପୋଲିସ କଲା ବିସର୍ଜନ


କେନ୍ଦୁଝର: ଆନନ୍ଦପୁର ସହରରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଉତ୍ତେଜନା । ଶୋଭାଯାତ୍ରା ବେଳେ ମୁହାଁ ମୁହିଁ ହେଲେ ଦୁଇ ଗୋଷ୍ଠୀ। ଏପରିକି ଶୋଭାଯାତ୍ରା ଉପରକୁ ହେଲା ଢେଲା ମାଡ । ଯାହାକୁ ନେଇ ଉତ୍ତେଜନା ଆହୁରି ଉଗ୍ର ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଫଳରେ ଅଧାରେ ଭସାଣି ବନ୍ଦ ରହିଥିବା ବେଳେ ବିନା ରୋଶଣିରେ ମୂର୍ତ୍ତି ବିସର୍ଜନ କରିଛି ପୋଲିସ୍ ।

ଗଣେଶ ପୂଜା ସରିବାର ପ୍ରାୟ ମାସେ ବିତି ସାରିଥିବା ବେଳେ ଏଯାଏଁ ଆନନ୍ଦପୁରରେ ଭସାଣି ହୋଇ ନଥିଲା । ଗତ ରାତିରେ ଶୋଭାଯାତ୍ରା ଆନନ୍ଦପୁର ଥାନା ନିକଟରେ ଯାଉଥିବା ବେଳେ ହଠାତ୍‌ ଢେଲା ମାଡ଼ ହୋଇଥିଲା । ଫଳରେ ଲୋକେ ଛତ୍ରଭଙ୍ଗ ଦେଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ ।

ଧାଁଦୌଡ଼ ଯୋଗୁଁ ଶତାଧିକ ମହିଳା, ଶିଶୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସେଠାରେ ଉପସ୍ଥିତ ପୋଲିସ୍‌ ମୃଦୁ ଲାଠି ଚାଳନା କରିଥିଲା । ଫଳରେ ରାତି ସାରା ଉତ୍ତେଜନା ଲାଗି ରହିଥିଲା ।

ବିଳମ୍ବିତ ରାତିରେ ବିନା ରୋଶଣିରେ ପୋଲିସ୍‌ ଠାକୁରଙ୍କୁ ବିସର୍ଜନ କରିଥିବା ଜଣାଯାଇଛି । ଉଭୟ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି । ଆନନ୍ଦପୁରରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ଗଣେଶ ପୂଜା ସରିବାର ପ୍ରାୟ ମାସେ ପରେ ମଧ୍ୟ ଆନନ୍ଦପୁରରେ କାହିଁକି ବିସର୍ଜନ ସମାପ୍ତ ହୋଇ ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ପ୍ରଶାସନ ପକ୍ଷରୁ ଲଟେରୀ ଉଠାଯାଇ ବିଭିନ୍ନ କ୍ଲବମାନଙ୍କର ଭସାଣି ତାରିଖ ନିର୍ଦ୍ଧାରଣ କରାଯାଏ । ତେବେ ଏହାକୁ ସୀମିତ ସମୟ ମଧ୍ୟରେ ନ ସାରି କାହିଁକି ଲମ୍ବା ଯାଉଛି ତାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.